
ପୁରୀ, ୯ ମଇ (ହି.ସ.)- ରଥଖଳାରେ ଶନିବାର ଅପରାହ୍ନରେ ପ୍ରତି ରଥର ଦୁଇଟି ଚକ ସହ ଅଖ ସଂଯୋଗ କରାଯାଇ ଡେରା ଯାଇଛି । ରଥ ସଂହିତା ଅନୁଯାୟୀ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ଚକଅଖ ଡେରା ନୀତି ସମ୍ପନ୍ନ ହୋଇଥାଏ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଣି ବିମାନରେ ନରେନ୍ଦ୍ରକୁ ଯାତ୍ରା କରିବା ସମୟରେ ରଥଖଳା ଠାରେ ଆଜ୍ଞାମାଳ ପ୍ରଦାନ କରିବା ପରେ ନିର୍ମାଣକାରୀ ରଥ ସେବକମାନେ ଚକ-ଅଖ ଡେରା ନୀତି ସମ୍ପନ୍ନ କରିଥିଲେ । ରଥ ନିର୍ମାଣ କାର୍ଯ୍ୟରେ ପ୍ରଥମ ଦଫାରେ ଚକଅଖ ଡେରାଯାଇଛି । ନନ୍ଦିଘୋଷ ରଥର ୧୬ ଚକ ୮ ଅଖ, ତାଳଧ୍ୱଜ ରଥର ୧୪ ଚକ ୭ ଅଖ ଏବଂ ଦର୍ପଦଳନ ରଥର ୧୨ ଚକ ୬ ଅଖ ସଂଯୋଗ କରାଯାଇ ଠିଆ କରାଯିବ । ଏହା ପରେ ପରେ ରଥ ନିର୍ମାଣର ଅନ୍ୟାନ୍ୟ ପର୍ଯ୍ୟାୟ ଚାଲୁ ରହିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥିଲା । ଜୁଲାଇ ୧୬ ତାରିଖରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ