କୋରୁଆରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ, ମନ୍ଦିରକୁ ପ୍ରବେଶ କଲେ ମହାପ୍ରଭୁ
ଭଦ୍ରକ, ୯ ମଇ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଗୋବିନ୍ଦପୁର ପଂଚାୟତର କୋରୁଆ ପାଟଣା ସାହିରେ ନୂତନ ଭାବେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଭବ୍ୟ ଓ ଭକ୍ତିମୟ ପରିବେଶ ମଧ୍ୟରେ ସଫଳତାର ସହ ସମାପ୍ତ ହୋଇଛି। ଦୀର୍ଘ ୪ ବର୍ଷର ଅକ୍ଳାନ୍ତ ପ୍ରୟାସ ଓ ଗ୍ରାମବାସୀଙ୍କ ସମୁହ
KORUA JAGANNATH MANDIRA PRATISTA


ଭଦ୍ରକ, ୯ ମଇ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଗୋବିନ୍ଦପୁର ପଂଚାୟତର କୋରୁଆ ପାଟଣା ସାହିରେ ନୂତନ ଭାବେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଭବ୍ୟ ଓ ଭକ୍ତିମୟ ପରିବେଶ ମଧ୍ୟରେ ସଫଳତାର ସହ ସମାପ୍ତ ହୋଇଛି। ଦୀର୍ଘ ୪ ବର୍ଷର ଅକ୍ଳାନ୍ତ ପ୍ରୟାସ ଓ ଗ୍ରାମବାସୀଙ୍କ ସମୁହିକ ସହଯୋଗରେ ନିର୍ମିତ ଏହି ପବିତ୍ର ମନ୍ଦିରରେ ମହାପ୍ରଭୁଙ୍କ ପ୍ରବେଶକୁ ନେଇ ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ଉତ୍ସାହ ଦେଖାଯାଇଥିଲା।ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ୧୦୮ କଳଶ ସହ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ମହିଳାମାନେ ଭକ୍ତିଭାବରେ କଳଶ ବହନ କରିଥିବା ବେଳେ ହରିନାମ ସଙ୍କୀର୍ତନ, ଭଜନ ଓ ଘଂଟଘଂଟାର ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ପୂଜାର୍ଚ୍ଚନା, ଯଜ୍ଞ, ହୋମ, ଆଜ୍ଞାମାଳା ନୀତି ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ରେ ପ୍ରବଚନ ସମାରୋହ ମଧ୍ୟ ଆୟୋଜିତ ହୋଇଥିଲା। ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବା ପରେ ବିଧିବତ ପୂଜାର୍ଚ୍ଚନା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନୂତନ ମନ୍ଦିର ଭିତରକୁ ପ୍ରବେଶ କରାଯାଇଥିଲା। ଏହି ପବିତ୍ର ଓ ଐତିହାସିକ ମୁହୂର୍ତକୁ ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ସନ୍ଧ୍ୟାରେ ଆୟୋଜିତ ପୂର୍ଣ୍ଣାହୁତି ଉତ୍ସବରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇଥିଲେ। ଗ୍ରାମବାସୀଙ୍କ ଏକତା, ଭକ୍ତିଭାବ ଓ ସାମୁହିକ ଉଦ୍ୟମକୁ ପ୍ରଶଂସା କରିବା ସହ ଏହି ମନ୍ଦିର ଅଂଚଳର ଧାର୍ମିକ ଓ ସାମାଜିକ ଏକତାର ପ୍ରତୀକ ହେବ ବୋଲି ମନ୍ତ୍ରୀ କହିଥିଲେ।ଗ୍ରାମବାସୀଙ୍କ ନିଷ୍ଠା, ସହଯୋଗ ଓ ଭକ୍ତିଭାବରେ ଆୟୋଜିତ ଏହି ପ୍ରତିଷ୍ଠା ମହୋତ୍ସବ କୋରୁଆ ଅଂଚଳରେ ଏକ ସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande