
ଝାରସୁଗୁଡ଼ା, ୦୯ ମେ (ହି.ସ.) - ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଜିଲ୍ଲା ନ୍ୟାୟାଳୟ ଏବଂ ଲଖନପୁର କୋର୍ଟ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ ମୋଟ ୩୫୭୩ଟି ମାମଲାର ଆପୋଷ ସମାଧାନ କରାଯାଇଥିଲା। ଏଥିମାଧ୍ୟମରେ ୬୧ ଲକ୍ଷ ୧୩ ହଜାର ୩୮୭ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି।
ଲୋକ ଅଦାଲତରେ ବିଭିନ୍ନ ବର୍ଗର ବିଚାରାଧୀନ ଓ ପ୍ରାକ୍-ମୋକଦ୍ଦମାର ସମାଧାନ ପାଇଁ ୧୦ଟି ସ୍ୱତନ୍ତ୍ର ବେଂଚ ଗଠନ କରାଯାଇଥିଲା। ସେଥିମଧ୍ୟରୁ ସର୍ବାଧିକ ୩୧୯୩ଟି ରାଜସ୍ୱ ମାମଲାର ସମାଧାନ ହୋଇଥିଲା। ଏହାସହ ୬୫ଟି ବ୍ୟାଙ୍କ ଋଣ ସମ୍ବନ୍ଧୀୟ ମାମଲାର ମଧ୍ୟ ନିଷ୍ପତି କରାଯାଇଥିଲା।
ମୋଟର ଯାନ ଦୁର୍ଘଟଣା ଟ୍ରିବ୍ୟୁନାଲର ୨ଟି ମାମଲାରେ ୧ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆଦେଶ ଜାରି ହୋଇଥିଲା। ଏଥିସହ ୫ଟି ଚେକ ବାଉନ୍ସ ମାମଲା ଓ ଗୋଟିଏ ବ୍ୟାଙ୍କ ପୁନରୁଦ୍ଧାର ମାମଲାର ସମାଧାନ କରାଯାଇଥିଲା। ବୈବାହିକ ବିବାଦ, ବିଦ୍ୟୁତ ବିଲ, ଟ୍ରାଫିକ ଚାଲାଣ ଏବଂ ଜନଉପଯୋଗୀ ସେବା ସମ୍ବନ୍ଧୀୟ ଅନେକ ମାମଲା ମଧ୍ୟ ଏହି ଅଦାଲତରେ ଆପୋଷ ମାଧ୍ୟମରେ ସମାଧାନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ ସଦାଶିବ ଜେନା, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ମହିଳା ନ୍ୟାୟାଳୟର ବିଚାରପତି ପ୍ରତ୍ୟୁଷା କିରଣଙ୍କ ସମେତ ଡ. ସନ୍ଧ୍ୟା ରଥ, ଦେବଶ୍ରୀ ସାହୁ, ମୋନାଲିସା ପ୍ରଧାନ, ଡ. ବିଶ୍ୱଭୂଷଣ ନାୟକ ଓ ଜୟା ରାଏ ପ୍ରମୁଖ ବିଭିନ୍ନ ବେଂଚରେ ବିଚାରପତି ଭାବେ ଯୋଗଦେଇ ମାମଲାଗୁଡ଼ିକର ସମାଧାନ କରିଥିଲେ।
ସମଗ୍ର ପ୍ରକ୍ରିୟାକୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ମୃତି ରଞ୍ଜନ ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଆଲୋକମୟୀ ପ୍ରଧାନ ଏବଂ ରେଜିଷ୍ଟ୍ରାର ସ୍ୱର୍ଣ୍ଣଲତା ନାୟକ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ବହୁ ଆଇନଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ