
ଝାରସୁଗୁଡ଼ା, ୯ ମଇ (ହି.ସ.)- ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଚାଲିଥିବା ପ୍ରାରମ୍ଭିକ ଶିକ୍ଷା ବିକାଶ କାର୍ଯ୍ୟକ୍ରମ–୧ ଅନ୍ତର୍ଗତ ତ୍ରିଦିବସୀୟ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଉଦଯାପିତ ହୋଇଯାଇଛି । ଉଦଯାପନୀ ଅଧିବେଶନରେ ଆୟୋଜକ ତଥା ଝାରସୁଗୁଡ଼ା ଡିଏଭି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା, ବନହରପାଲି ଡିଏଭି ଅଧ୍ୟକ୍ଷା ଅନିତା ଭାଗ୍ୟରାଜ, ଲାଞ୍ଜିଗଡ଼ ଡିଏଭି ଅଧ୍ୟକ୍ଷା ମନଭିନ କୌର, ଛଟେନପାଲି ଡିଏଭି ଅଧ୍ୟକ୍ଷା ସସ୍ମିତା ତ୍ରିପାଠୀ ଓ ଝିଲିଙ୍ଗ ଡିଏଭି ଅଧ୍ୟକ୍ଷା ଚିନ୍ମୟୀ ଚିତ୍ରାଙ୍ଗଦା ଯୋଗଦାନ ପୂର୍ବକ ପ୍ରଶିକ୍ଷାର୍ଥିନୀମାନଙ୍କୁ ଦକ୍ଷତା ବିକାଶ କର୍ମଶାଳାର ପ୍ରୟୋଜନୀୟତା, ନୂତନ ଶିକ୍ଷା ସଂସ୍କାର, ଶିକ୍ଷୟିତ୍ରୀମାନଙ୍କ କର୍ତ୍ତବ୍ୟ, ଗବେଷଣାଯୁକ୍ତ ମନୋଭାବ, ଏକବିଂଶ ଶତାବ୍ଦୀ କୌଶଳ, ନୂତନ ଶିକ୍ଷାନୀତି, ଶିଶୁକୈନ୍ଦ୍ରିକ କ୍ରିୟାକଳାପ ଆଦି ସମ୍ବନ୍ଧରେ ଆଲୋକପାତ କରିଥିଲେ । କର୍ମଶାଳାରେ ଉପସ୍ଥିତ ପ୍ରଶିକ୍ଷାର୍ଥିନୀମାନେ ନୂତନ ଭାବେ ଆହରଣ କରିଥିବା ସମସ୍ତ କୌଶଳର ପ୍ରୟୋଗ କରିବା ସହିତ ବ୍ୟକ୍ତିଗତ ଶିଶୁକୈନ୍ଦ୍ରିକ ହୋଇ କର୍ତ୍ତବ୍ୟ ପାଳନର ସଂକଳ୍ପ ନେଇଥିଲେ । ଜାତୀୟ ଶିକ୍ଷାନୀତି–୨୦୨୦ ର ଆଦର୍ଶ ଓ ଲକ୍ଷ୍ୟ ଆଧାରରେ ପ୍ରାରମ୍ଭିକ ସ୍ତରର ଶିକ୍ଷାକୁ ଅଧିକ ଆନନ୍ଦମୟ, କାର୍ଯ୍ୟମୂଳକ, ଶିଶୁକେନ୍ଦ୍ରିକ କରିବା ଉଦ୍ଦେଶ୍ୟରେ ଡିଏଭି ବିଦ୍ୟାଳୟ ସମୂହ, ଓଡ଼ିଶା ଜୋନର ଯୋଜନାନୁଯାୟୀ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଶାର ୬ଟି ଜୋନରୁ ସମୁଦାୟ ୭୧ ଜଣ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ଓ ୧୦ ଜଣ ଅଭିଜ୍ଞ ମୁଖ୍ୟ ପ୍ରଶିକ୍ଷିକା ଶିକ୍ଷୟିତ୍ରୀମାନଙ୍କୁ ନୂତନ ଶିକ୍ଷା ପଦ୍ଧତି, ସୃଜନଶୀଳ କାର୍ଯ୍ୟକଳାପ ଓ ଶିଶୁସୁଲଭ କ୍ରିୟାକଳାପ, ଶିଶୁ ମନୋବିଜ୍ଞାନ ଓ ଅନୁଭୂତିମୂଳକ ଅଧ୍ୟୟନର ଭୂମିକା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷାର୍ଥିନୀମାନେ ବ୍ୟକ୍ତିଗତ ଅନୁଭବ ଉପସ୍ଥାପନ କରିଥିଲେ। ସୁକନ୍ୟା ମହାପାତ୍ର ରିପୋର୍ଟ ଉପସ୍ଥାପନ କରିଥିବା ବେଳେ ଟ୍ରେନିଂ ସଂଯୋଜକ ଆଶିଷ ପୂଜାରୀ ଧନ୍ଯବାଦ ଅର୍ପଣ କରିଥିଲେ ।
ସୁପରିଚାଳନା ଦୃଷ୍ଟିରୁ ବିଦ୍ୟାଳୟ ପର୍ଯ୍ୟବେକ୍ଷିକା ନୀଳିମା ପଟେଲ, ପ୍ରତିଚିତ୍ର ଉତ୍ତୋଳକ ଓମପ୍ରକାଶ ନାଥ ଶର୍ମା, ମଜୁମ ସାହୁ, ବିଜୟ ଦାଶ, ପବିତ୍ର ମୋହନ କବି, ସୁମନ୍ତ ସାହୁ ଓ ଅକ୍ଷୟ ପାଣି କର୍ମଶାଳାରେ ସକ୍ରିୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ