କନ୍ଧମାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ଉର୍ବଶୀ ଦିଗାଲ
Urbasi Digal District Women Cel President
ଫୋଟ


କନ୍ଧମାଳ , ୦୯ ମଇ (ହି.ସ.) ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶା ପ୍ରଦେଶ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲାର ନୂତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଖଜୁରୀପଡ଼ା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲଙ୍କୁ ଚୟନ କରାଯାଇଛି। ଶ୍ରୀମତୀ ଦିଗାଲଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରେ ମହିଳା ମୋର୍ଚ୍ଚା ସଂଗଠନ ଆହୁରି ସୁଦୃଢ ଓ ସକ୍ରିୟ ହେବ ବୋଲି ଦଳୀୟ ମହଳରେ ଆଶା ପ୍ରକାଶ ପାଇଛି। ତାଙ୍କର ଏହି ଚୟନ ପରେ ଶ୍ରୀମତୀ ଦିଗାଲ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସାଂସଦଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଓ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଉମା ଚରଣ ମଲ୍ଲିକ, ଜିଲ୍ଲା ସଭାପତି ଶ୍ରୀ ପଣ୍ଡିତ କୁମାର ବିଶିମାଝି, ରାଜ୍ୟ ସମ୍ପାଦକ ଶ୍ରୀ ଭଗବାନ ମହାନ୍ତି, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷା ତଥା ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ କଳ୍ପନା କହଁର,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପ ସଭାପତି ଶ୍ରୀ ରାମବିଶି ଦିଗାଲ, ଜିଲ୍ଲାର ସମସ୍ତ ନେତୃତ୍ୱ ଓ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି।ଏହି ନିଯୁକ୍ତି ଖବର ପ୍ରକାଶ ପାଇବା ପରେ କନ୍ଧମାଳ ଜିଲ୍ଲାର ଦଳୀୟ ମହଲ ତଥା ବିଭିନ୍ନ ମହଳରୁ ଶ୍ରୀମତୀ ଦିଗାଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ନବ ନିଯୁକ୍ତ ଜିଲ୍ଲା ସଭାନେତ୍ରୀ ଶ୍ରମତୀ ଦିଗାଲ ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ବିରୋଧୀ ଦଳରେ ଥାଇ ଖଜୁରୀପଡା ୪ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଭାବେ ତିନି ହଜାରରୁ ଅଧିକ ରେକର୍ଡ ସଂଖ୍ୟା ରେ ବିଜୟଲାଭ କରିବା ପରଠାରୁ ସର୍ବଦା ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଜିଲ୍ଲାରେ ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ନିଜ ବ୍ଲକ ତଥା ଅନ୍ୟ ବ୍ଲକର ଅନେକ ସାମାଜିକ କାର୍ଯ୍ୟକ୍ରମ ଏବଂ ଆପଦ ବିପଦ ବେଳେ ପହଞ୍ଚି ଜନସାଧାରଣଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି l ପୂର୍ବରୁ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ରାଜ୍ୟ ପରିଷଦ ସଦସ୍ୟା ଭଳି ଦାୟିତ୍ୱ ତୁଲାଇଥିବା ଶ୍ରୀମତୀ ଦିଗାଲ ଭାରତୀୟ ଜନତା ପାର୍ଟି ତୃଣମୂଳ ସ୍ତରର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛି ତାକୁ ପାଥେୟ କରି ଦଳର ସଂଗଠନ ଏବଂ ମହିଳାଙ୍କ କ୍ଷେତ୍ରରେ ଯେତେବେଳେ ଯାହା ଆବଶ୍ୟକ ହେବ ନିଶ୍ଚିତ ମୁଁ ଜନସାଧାରଣଙ୍କ ସ୍ୱର ହୋଇ କାର୍ଯ୍ୟ କରିବି ବୋଲି ଗଣମାଧ୍ୟମକୁ ସୂଚନା ଦେବା ସହ ଜିଲ୍ଲା ଏବଂ ରାଜ୍ୟର ସମସ୍ତ ନେତୃତ୍ୱଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande