ୱାଟକୋର ଐତିହାସିକ ସଫଳତା: ସମସ୍ତ ୨୯ ସହରାଂଚଳରେ ୧୦୦% ଜଳ ଯୋଗାଣ ସୁନିଶ୍ଚିତ
୨୦୨୬-୨୭ରେ ଜଳ ଓ ସ୍ୱେରେଜ୍ ଭିତିଭୂମି ପାଇଁ ବୃହତ୍ ପୁଞ୍ଜିନିବେଶ ଭୁବନେଶ୍ୱର, ୦୯ ମଇ (ହି.ସ.) - ଓଡ଼ିଶା ଜଳ ନିଗମ (ୱାଟକୋ) ସହରାଂଚଳ ନାଗରିକ ସେବା କ୍ଷେତ୍ରରେ ଏକ ଐତିହାସିକ ମାଇଲଷ୍ଟୋନ୍ ଅର୍ଜନ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଂଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନି
cds


୨୦୨୬-୨୭ରେ ଜଳ ଓ ସ୍ୱେରେଜ୍ ଭିତିଭୂମି ପାଇଁ ବୃହତ୍ ପୁଞ୍ଜିନିବେଶ

ଭୁବନେଶ୍ୱର, ୦୯ ମଇ (ହି.ସ.) - ଓଡ଼ିଶା ଜଳ ନିଗମ (ୱାଟକୋ) ସହରାଂଚଳ ନାଗରିକ ସେବା କ୍ଷେତ୍ରରେ ଏକ ଐତିହାସିକ ମାଇଲଷ୍ଟୋନ୍ ଅର୍ଜନ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଂଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ଏହି ସଫଳତା ସହ ରାଜ୍ୟର ସହରାଂଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରିଛି।

ନିକଟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ୱାଟକୋର ଏହି ସଫଳତା ସହିତ ଆଗାମୀ ଜଳ ଓ ସ୍ୱେରେଜ୍ ଭିତିଭୂମି ବିକାଶ ରୋଡମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

୨୦୨୬ ମାର୍ଚ୍ଚ ସୁଦ୍ଧା ୱାଟକୋ ପ୍ରାୟ ୭,୬୩,୦୮୨ଟି ଘରୋଇ ସଂଯୋଗ ମାଧ୍ୟମରେ ୪.୯୧ ନିୟୁତରୁ ଅଧିକ ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍” ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତମାନ ୧୧ଟି ସହରାଂଚଳରେ ୨୪ଙ୍ଘଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳତାର ସହ ଚାଲିଥିବାବେଳେ, ଅନ୍ୟ ୧୭ଟି ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଜୋରଦାର ଭାବେ ଅଗ୍ରସର ହେଉଛି।

ୱାଟକୋର ବର୍ତମାନ ମୋଟ ଜଳ ଯୋଗାଣ କ୍ଷମତା ୯୮୮.୮୯ ଏମ୍ ଏଲ୍ ଡିରେ ପହଂଚିଥିବାବେଳେ ସହରାଂଚଳର ବର୍ତମାନ ଚାହିଦା ୭୦୦.୬୭ ଏମ୍ ଏଲ୍ ଡି ରହିଛି। ଏହି ଅତିରିକ୍ତ କ୍ଷମତା ଆଗାମୀ ଦିନରେ ରାଜ୍ୟର ଦୀର୍ଘମିଆଦି ଜଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।

୨୦୨୫-୨୬ ଆର୍ôଥକ ବର୍ଷରେ ୱାଟକୋ ନିଜର ୯୧୨ କୋଟି ଟଙ୍କାର ବଜେଟକୁ ଶତପ୍ରତିଶତ ବ୍ୟୟ କରିଥିବା ସହିତ ଅମୃତ ଏବଂ ଓଏମବିଏଡିସି ପରି ଯୋଜନା ମାଧ୍ୟମରେ ଅତିରିକ୍ତ ୫୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରି ଜଳ ଭିତିଭୂମିକୁ ସୁଦୃଢ଼ କରିଛି। ଏହି ଧାରାକୁ ଜାରି ରଖି ୨୦୨୬-୨୭ ପାଇଁ ୯୨୦ କୋଟି ଟଙ୍କାର ଏକ ମହତ୍ୱଙ୍କାକ୍ଷୀ କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି, ଯେଉଁଥିରେ ସ୍ୱେରେଜ୍ ଭିତିଭୂମି ବିକାଶ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଗତ ଏକ ବର୍ଷ ମଧ୍ୟରେ ୱାଟକୋ ୩ଟି ନୂତନ ଜଳ ବିଶୋଧନ ପ୍ଲାଂଟ ଓ ୫୮ଟି ଉଚ୍ଚକ୍ଷମତାସମ୍ପନ୍ନ ଜଳାଶୟ ନିର୍ମାଣ କରିଛି। ବର୍ତମାନ ରାଜ୍ୟରେ ପ୍ରାୟ ୨,୬୫୮.୪୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଅବସ୍ଥାରେ ରହିଛି। ଏଥିରେ ଭୁବନେଶ୍ୱର ପାଇଁ ୧୩୦ ଏମ୍ ଏଲ୍ ଡି କ୍ଷମତା ବିଶିଷ୍ଟ ବୃହତ୍ ଜଳ ବିଶୋଧନ ପ୍ଲାଂଟ ଏବଂ ସହରର ବସ୍ତି ଓ ଅଣ-ବସ୍ତି ଅଂଚଳରେ ସ୍ୱେରେଜ୍ ନେଟୱାର୍କ ସମ୍ପ୍ରସାରଣ ପରି ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି।

ଆଗାମୀ ପର୍ଯ୍ୟାୟରେ ୱାଟକୋ ୬,୧୨୯ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୃହତ୍ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି। ସେଥିରେ ସମ୍ବଲପୁର ପାଇଁ ୧,୬୮୨ କୋଟି ଟଙ୍କା ଓ ବାରିପଦା ପାଇଁ ୮୩୦.୯୭ କୋଟି ଟଙ୍କାର ସ୍ୱେରେଜ୍ ପ୍ରକଳ୍ପ ବିଶେଷ ଗୁରୁତ୍ୱ ବହନ କରୁଛି।

ଡିଜିଟାଲ୍ ଓ ସ୍ମାର୍ଟ ଜଳ ପରିଚାଳନାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା ଓ ବ୍ରହ୍ମପୁରରେ ୫୦ ହଜାର ସ୍ମାର୍ଟ ୱାଟର ମିଟର ସ୍ଥାପନ କାର୍ଯ୍ୟ ଚାଲିଛି। ଏହାଦ୍ୱାରା ବିଲିଂ ବ୍ୟବସ୍ଥା, ଜଳ ବ୍ୟବହାର ନିରୀକ୍ଷଣ ଓ ସମ୍ବଳ ପରିଚାଳନାରେ ଆଧୁନିକତା ଆସିବ। ଜଳର ଗୁଣବତା ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ୱାଟକୋ ରାଜ୍ୟରେ ୧୪ଟି ଆଧୁନିକ ପରୀକ୍ଷାଗାର ପରିଚାଳନା କରୁଛି। ଏହା ସହ ଆଇଆଇଟି ଭୁବନେଶ୍ୱର ସହ ବୈଷୟିକ ସହଯୋଗ ମାଧ୍ୟମରେ ଜଳ ପରିଚାଳନାରେ ନୂତନ ପ୍ରଯୁକ୍ତିର ପ୍ରୟୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ୱାଟକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତି କହିଛନ୍ତି ଯେ, ଆଧୁନିକ ପ୍ରଯୁକ୍ତି, ଦୃଢ଼ ଭିତିଭୂମି ଏବଂ ସୁସ୍ଥିର ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାର ସହରାଂଚଳରେ ବିଶ୍ୱସ୍ତରୀୟ ନାଗରିକ ସେବା ପ୍ରଦାନ ପାଇଁ ୱାଟକୋ ନିରନ୍ତର କାର୍ଯ୍ୟ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande