

ବଲାଙ୍ଗୀର, ୦୮ ମଇ(ହି.ସ.) – ବଲାଙ୍ଗୀର ସହରରେ ଦେଇଯାଇଛି ଏନ୍ଏଚ୍ ରାସ୍ତା। ଏହି ରାସ୍ତାର ଭାଗିରଥୀ ଛକରୁ ଜିଲ୍ଲାପାଳଙ୍କ ବାସଗୃହ ପର୍ଯ୍ୟନ୍ତ ରାସ୍ତା କଡ଼ରେ ସ୍ଥାନୀୟ ପୌରପରିଷଦ ପକ୍ଷରୁ ସୌନ୍ଦର୍ଯ୍ୟ କରଣ ନାଁରେ ବେଆଇନ ନିର୍ମାଣ କାମ ଚାଲିଛି। ଏହି କାମକୁ ବିରୋଧ କରି ସ୍ଥାନୀୟ ଲୋକେ ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କୁ ଲିଖିତ ଆକାରରେ ଅଭିଯୋଗ ଦେବାସହ ଏହାର ଏକ କପି ଉପ ମୁଖ୍ୟମନ୍ତ୍ରୀ, ବଲାଙ୍ଗୀର ସାଂସଦ, ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଲୋକଙ୍କ ଅଭିଯୋଗ ଅନୁସାରେ, ଏହି କାମ ହେବା ଦ୍ୱାରା ରାସ୍ତା ସଂକୋଚନ ହେଉଛି ଏବଂ ପେଲେସ ଲାଇନ୍, ସାଗରପଡ଼ା ତଥା ଏହି ଆଖପାଖ ଅଂଚଳର ଅଧିବାସୀମାନେ ସହର ମଧ୍ୟକୁ ଆସିବାରେ ଅସୁବିଧା ହେଉଛି। ଏହାସହ ପ୍ରତିଦିନ ମହିଳା ମହାବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକ, ରାଜେନ୍ଦ୍ର ୟୁନିଭରସିଟିରେ ପଢ଼ୁଥିବା ସହରର ଛାତ୍ରଛାତୀ ପେଲେସ ଲାଇନ୍ରୁ ଭାଗିରଥି ଛକ ପର୍ଯ୍ୟନ୍ତ ରାସ୍ତାଦେଇ ଯିବାଆସିବା କରିଥାନ୍ତି। କିନ୍ତୁ ପୌର ପରିଷଦ ପକ୍ଷରୁ ଗତ ଦୁଇବର୍ଷର ହେଲା ଭାଗିରଥି ଛକରୁ ଜିଲ୍ଲାପାଳଙ୍କ ବାସଗୃହ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ନିର୍ମାଣ କାମ ଚାଲିଛି। ଯଦ୍ୱାରା ରାସ୍ତା ସଂକୋଚନ ହେବାରେ ଲାଗିଛି। ଏହାଦ୍ୱାରା ରାସ୍ତାରେ ଲୋକେ ଯିବାଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି। ଏହି ରାସ୍ତା ଏନ୍ଏଚ୍ ବିଭାଗର ଅଟେ ଏବଂ ନିୟମ ଅନୁସାରେ ଏନ୍ଏଚ୍ ରାସ୍ତା ପାଶ୍ୱର୍ରେ କୌଣସି କଂକ୍ରିଟ କାମ କରାଯାଇ ପାରିବ ନାହିଁ। ତଥାପି ପୌରପରିଷଦ ପକ୍ଷରୁ ଏଠାରେ କଂକ୍ରିଟ କାମ ଚାଲିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଜିଲ୍ଲାପାଳଙ୍କୁ ଲୋକେ ଲିଖିତ ଅଭିଯୋଗ କରିଥିଲେ କିଛିଦିନ ବିଭାଗ ପକ୍ଷରୁ କାମ ବନ୍ଦ କରିଦିଆ ଯାଇଥିଲା। କିନ୍ତୁ ପୁଣିଥରେ ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ରାସ୍ତା ପାଶ୍ୱର୍ରେ କଂକ୍ରିଟ କାମ ଚାଲିଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ଏହି କାମକୁ ବନ୍ଦ କରିବା ସହ ଏହି ରାସ୍ତାକୁ ସଫା କରିବାକୁ ଲୋକେ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ପ୍ରକାଶ ଯେ, ରାସ୍ତାକଡ଼ରେ ପୌର ପରିଷଦ କାମ କଲାପରେ ଏବେ ରାସ୍ତା ଉପରେ ଲାଇଟ୍ ଖୁଂଟ ପୋତି ଆଲୋକି କରଣ କରିବ ବୋଲି ସ୍ପଷ୍ଟିକରଣ ଦେଉଛି। ଏହି ରାସ୍ତାକଡ଼ କାମ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବେ ଚାଲିବା ରାସ୍ତା ଉପରେ ଲାଇଟ ଖୁଂଟ ପୋତିବା ଯୋଗୁଁ ଆହୁରି ଅସୁବିଧାର ସମ୍ମୁଖୀନ ହେବେ। ରାସ୍ତା ଉପରେ ପୌରପରିଷଦର ଏହି ବେଆଇନ ନିର୍ମାଣ ଯୋଗୁଁ ରାସ୍ତା ସଂକୋଚନ ହେବା ସହ ମଟର ସାଇକଲ, ସାଇକଲ ଓ ଚାଲିକି ଯିବା ଲୋକଙ୍କ ପାଇଁ ରାସ୍ତା ନାହିଁ, ଯେଉଁ ରାସ୍ତା ଥିଲା ତା’ ଉପରେ ବାଡ଼ଦେଇ ନିର୍ମାଣ ଚାଲିଛି। ଯେହେତୁ ଏହିପଟେ ବସ୍ଷ୍ଟାଣ୍ଡ ଅଛି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଆର୍ଟିଓ ଅଫିସ, ଫରେଷ୍ଟ ଅଫିସ, ମହିଳା ମହାବିଦ୍ୟାଳୟ, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମେତ ବହୁ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଅଛି ଏବଂ ଏହି ପଟେରେ ବହୁ ଘରଦ୍ୱାର ଦିନକୁ ଦିନ ବଢ଼ିବାରେ ଲାଗିଛି ତେଣୁ ଲୋକ ସଂଖ୍ୟା ମଧ୍ୟ ଏପଟେ ବଢ଼ିବାରେ ଲାଗିଛି। ଏହି ରାସ୍ତାଦେଇ ପ୍ରତିଦିନ ଶହଶହ ସଂଖ୍ୟାରେ ସରକାରୀ ଓ ବେସରକାରୀ ବସ୍, ଭାରିଯାନ, ଚାରି ଚକିଆ ଯାନ, ମଟର ସାଇକଲ ଯିବା ଆସିବା କରୁଛି। କିନ୍ତୁ ପୌରପରିଷଦର ରାସ୍ତା ଉପରେ ଚଲାଇଥିବା କଂକ୍ରିଟ କାମ ଯୋଗୁଁ ରାସ୍ତା ସଂକୋଚନ ହେଉଛି ଏବଂ ଲୋକେ ଯାତାୟତ କରିବାରେ ବହୁ ଅସୁବିଧା ହେଉଛି। ତେଣୁ ତୁରନ୍ତ ଏହି କାମ ବନ୍ଦ କରିବା ସହ ରସ୍ତା ଉପରେ ତିଆରି ହୋଇଥିବା ଏହି କଂକ୍ରିଟ କାମକୁ ହଟାଇ ରାସ୍ତା ପ୍ରସ୍ତୁତିକରଣ କରାଯାଉ ବୋଲି ସ୍ଥାନୀୟ ଅଂଚଳର ଆନନ୍ଦ କୁମାର ମିଶ୍ର, ରିତରାଜ ସିଂହ, ରଂଜନ ମହାନ୍ତି, ରାକେଶ ପଣ୍ଡା, ମୁରାରୀ ମୋହନ ମିଶ୍ର, ଦିଲିପ ପାଢ଼ି, ଅଜିତ କୁମାର ତ୍ରିପାଠୀ, ରମାକାନ୍ତ ହୋତା, ତପନ ଦାସ, ଅଜିତ ପଣ୍ଡାଙ୍କ ସମେତ ବହୁ ସଂଖ୍ୟାରେ ଲୋକେ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ