
ଭୁବନେଶ୍ୱର, ୨୪ ଜୁନ୍ (ହି.ସ.)- ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଚାଷୀ ଗୋପାଳ କୃଷ୍ଣ ସାହୁ କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରିନପାରି ଶେଷରେ ବାଧ୍ୟହୋଇ ଇଚ୍ଛାମୃତ୍ୟୁ ମାଗିବା ଘଟଣା ସମଗ୍ର ଓଡ଼ିଶାବାସୀଙ୍କୁ ବିଚଳିତ କରିଛି । ସରକାରଙ୍କ ଏହି ଚାଷୀ ମାରଣ ନୀତିକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା କହିଥିଲେ ଯେ, ବରଗଡ଼ ଜିଲ୍ଲାର ଚାଷୀ ଗୋପାଳ କୃଷ୍ଣ ସାହୁ ନିଜର କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରିବା ପାଇଁ ବାରମ୍ବାର ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ଶେଷରେ ବାଧ୍ୟ ହୋଇ ଚରମ ପଦକ୍ଷେପ ସ୍ୱରୂପ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ମାଗିଛନ୍ତି ଏବଂ ସେହି ଇଚ୍ଛାମୃତ୍ୟୁକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରିବା ଅତ୍ୟନ୍ତ ଲଜ୍ଜାଜନକ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ସରକାର ଚାହୁଁଛନ୍ତିଚାଷୀ ଆତ୍ମହତ୍ୟା କରୁ । ରାଜ୍ୟର ଅନେକ ମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀକୂଳ ଚିନ୍ତାରେ ରହିଛି । ହଜାର ହଜାର କ୍ଲିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିବାରୁ ମୌସୁମୀ ବର୍ଷାରେ ଭିଜି ଗଜା ହେଲାଣି । ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ଅହେତୁକ ଦରବୃଦ୍ଧି ଚାଷୀର ଆର୍ôଥକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଚାଷୀକୂଳର ସମସ୍ତ ସମସ୍ୟା ଡବଲ ଇଞ୍ଜିନ ସରକାର ତୁରନ୍ତ ସମାଧାନ କରନ୍ତୁ, ନଚେତ୍ ଚାଷୀକୂଳର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ଲଢ଼େଇ ଜୋରଦାର କରିବ ।
ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଚାଷୀକୂଳକୁ ୩୧୦୦ ଟଙ୍କା ଦେଉଥିବାର ଡିଣ୍ଡିମ ପିଟୁଥିବା ଡବଲ ଇଞ୍ଜିନ ସରକାର ଅନ୍ୟପଟେ ୧୫ କିଲୋ କଟନୀ ଛଟନୀ କରି ସରକାର ଦୋମୁହାଁ ନୀତିର ପରିଚୟ ଦେଉଛନ୍ତି । ପ୍ରତିଥର ଧାନ ସଂଗ୍ରହ ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି । ମଣ୍ଡି ସମସ୍ୟା, ଟୋକନ ସମସ୍ୟା ଯୋଗୁଁ ଚାଷୀ ତାର ଧାନକୁ ବିକ୍ରି କରିନପାରି ଇଚ୍ଛାମୃତ୍ୟୁ ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛି । ବରଗଡ଼ର ଚାଷୀ ଇଚ୍ଛାମୃତ୍ୟୁ ମାଗିବା ଓ ଜିଲ୍ଲା ପ୍ରଶାସନ ତାଙ୍କ ଆବେଦନକୁ ଗ୍ରହଣ କରିବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଦୁଃଖ ଦେଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ସରକାର କେତେ ଅସହାୟ ହୋଇପଡ଼ିଛନ୍ତି । ଧାନ ବିକ୍ରିର ୨୪ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାର ପ୍ରତିଶ୍ରୁତି ସରକାର ଦେଉଛନ୍ତି, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡ଼ୁଛି । ବିଜୁ ଜନତା ଦଳ ଆଶା କରୁଛି, ସରକାର ଚାଷୀକୂଳ ପ୍ରତି ଯତ୍ନବାନ ହୁଅନ୍ତୁ ଓ ଚାଷୀକୂଳର ସବୁ ସମସ୍ୟା ଦୂର କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା