
ଭୁବନେଶ୍ୱର , 24 ଜୁନ୍ (ହି.ସ.)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବିକାଶ ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ବିଏମ୍ସି ଏକାମ୍ର ହଲ୍ରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ୱଚ୍ଛ କର୍ମୀ, ସଫେଇ ଗାଡ଼ି ଚାଳକ, ଆବାସିକ ସଂଗଠନ, ବହୁଳ ବର୍ଜ୍ୟ ଉତ୍ପନ୍ନକାରୀ, ସର୍ବାଧିକ ହୋଲ୍ଡିଂ ଟ୍ୟାକ୍ସ ପ୍ରଦାନକାରୀ ବ୍ୟକ୍ତିବିଶେଷ, ଗୋଷ୍ଠୀ ସଂଗଠକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ, ରାସ୍ତା ପାର୍ଶ୍ୱ ବ୍ୟବସାୟୀ ଏବଂ ବରିଷ୍ଠ ନାଗରିକଙ୍କ ସମେତ ୩୦ରୁ ଅଧିକ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବିଏମ୍ସି ପକ୍ଷରୁ ୩ଟି ଜୋନର ୬ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ସହ ସିଟି ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ୧୪ଟି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ଆଭାସୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ, ମ ମେୟର, ଡେପୁଟି ମେୟର, ବିଏମ୍ସି କମିଶନର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଏବଂ ବହୁ କର୍ପୋରେଟର ମଞ୍ଚାସୀନ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା