


ସମ୍ବଲପୁର, ୨୪, ଜୁନ୍ (ହି.ସ.) - ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଂଟ ଅଥରିଟି (କାଡା) ଡିଭିଜନର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କୁ ଅସମାନୁପାତିକ ସମ୍ପତି ମାମଲାରେ ଓଡ଼ିଶା ଭିଜିଲାନ୍ସ ବୁଧବାର ଗିରଫ କରିଛି। ତାଙ୍କ ନିକଟରୁ ଜଣାଶୁଣା ଆୟ ସ୍ରୋତ ତୁଳନାରେ ୧୧୯ ପ୍ରତିଶତ ଅଧିକ ସମ୍ପତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇ ସମ୍ବଲପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଅଦାଲତରେ ହାଜର କରାଯାଇଛି। ଏହି ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି।
ଭିଜିଲାନ୍ସ ଚଢ଼ାଉ ସମୟରେ ପଦ୍ମଲୋଚନ ନାୟକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବିପୁଳ ପରିମାଣର ଚଳ ଓ ଅଚଳ ସମ୍ପତି ଠାବ କରାଯାଇଛି। ଏଥିରେ କଟକର ବିଦ୍ୟାଧରପୁରରେ ପ୍ରାୟ ୧୮,୮୪୦ ବର୍ଗଫୁଟ ବିଶିଷ୍ଟ ଏକ ତିନି ମହଲା କୋଠା, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ମୁକୁଳିଶିରେ ଦୁଇଟି କୋଠା ଏବଂ ଭୁବନେଶ୍ୱର, କଟକ, ଯାଜପୁର, ବାଲେଶ୍ୱର ଓ ପୁରୀରେ ମୋଟ ୧୮ଟି ମୂଲ୍ୟବାନ ପ୍ଲଟ୍ ରହିଛି ।
ଏହାଛଡ଼ା ତାଙ୍କ ନିକଟରୁ ୩ ଲକ୍ଷ ୪୫ ହଜାର ଟଙ୍କା ନଗଦ, ଶ୍ରୀଲଙ୍କା, ନେପାଳ, ବାହାରିନ ଓ ଆମେରିକାର ବିଦେଶୀ ମୁଦ୍ରା, ୨ଟି ଜେସିବି ମେସିନ, ୧ଟି ଟାଟା ଟ୍ୟାଙ୍କର, ୧ଟି ଟ୍ରାକ୍ଟର, ୧ଟି ଟ୍ରେଲର, ୩ଟି ଚାରିଚକିଆ ଯାନ, ୧ଟି ଦୁଇଚକିଆ ଯାନ ଏବଂ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ଘରୋଇ ସାମଗ୍ରୀ ଜବତ କରାଯାଇଛି। ଭିଜିଲାନ୍ସର ତଦନ୍ତ, ହିସାବ ଓ ସମ୍ପତିର ମୂଲ୍ୟାଙ୍କନ ପରେ ପଦ୍ମଲୋଚନ ନାୟକଙ୍କ ନିକଟରେ ତାଙ୍କ ଜଣାଶୁଣା ଆୟ ସ୍ରୋତଠାରୁ ୧୧୯ ପ୍ରତିଶତ ଅଧିକ ସମ୍ପତି ଥିବା ଜଣାପଡ଼ିଛି। ମାମଲାର ତଦନ୍ତ ଏବେବି ଜାରି ରହିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ