ଆଧାର କାର୍ଡ ନଥିବାରୁ ୬ ବର୍ଷ ଧରି ରାସନରୁ ବଞ୍ଚିତ ପରିବାର; ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବାପା-ଝିଅ
Family is in very miserable condition
Family


ଝାରସୁଗୁଡା , 24 ଜୁନ୍ (ହି.ସ.) - ଗରିବ ଓ ଖଟିଖିଆ ପରିବାରଙ୍କ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଅନେକ ପ୍ରକୃତ ହିତାଧିକାରୀ ଆଜି ମଧ୍ୟ ସେହି ସୁବିଧାରୁ ବଞ୍ଚିତ ରହିଛନ୍ତି। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଲଖନପୁର ବ୍ଲକ ଅନ୍ତର୍ଗତ ସୀମାନ୍ତ କନକତୋରା ପଞ୍ଚାୟତର ଲୁହାବଗା ଗାଁରେ। ଗାଁର ବୃନ୍ଦାବନ ସୁନା (୪୮) ଏବଂ ତାଙ୍କର ଦୁଇ ଝିଅ ଶାନ୍ତି ସୁନା (୨୨) ଓ ଆରତୀ ସୁନା (୧୮) ବିଗତ ଛଅ ବର୍ଷରୁ ଅଧିକ ସମୟ ଧରି ଖାଦ୍ୟ ସୁରକ୍ଷା ଯୋଜନାର ଲାଭରୁ ବଞ୍ଚିତ ରହି ଦୁର୍ଦ୍ଦିନ ମଧ୍ୟରେ ଜୀବନ ବିତାଉଛନ୍ତି।

ସୂଚନା ଅନୁଯାୟୀ, ପୂର୍ବରୁ ପାଞ୍ଚ ସଦସ୍ୟ ବିଶିଷ୍ଟ ଏହି ପରିବାର ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ରାସନ ସାମଗ୍ରୀ ପାଉଥିଲେ। କିନ୍ତୁ ୨୦୧୯ ମସିହାରେ ଲଗାଣ ବର୍ଷାରେ ସେମାନଙ୍କର ଚାଳଛପର ଘର ଭାଙ୍ଗିଯିବା ସହ ବୃନ୍ଦାବନ ଓ ତାଙ୍କ ଦୁଇ ଝିଅଙ୍କର ଆଧାର କାର୍ଡ ନଷ୍ଟ ହୋଇଯାଇଥିଲା। ପରେ ରାସନ କାର୍ଡ ସହ ଆଧାର ସଂଯୋଗ ବାଧ୍ୟତାମୂଳକ ହେବାରୁ ପରିବାରର ଏହି ତିନି ସଦସ୍ୟ ଯୋଜନାରୁ ବାଦ ପଡ଼ିଥିଲେ।

ନୂତନ ଆଧାର କାର୍ଡ ପ୍ରାପ୍ତି ପାଇଁ ସେମାନେ ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ଆବଶ୍ୟକ ପ୍ରମାଣପତ୍ରର ଅଭାବରୁ ଆଧାର କାର୍ଡ ପୁନଃ ନିର୍ମାଣ ହୋଇପାରୁନାହିଁ। ଫଳରେ କେବଳ ରାସନ ସାମଗ୍ରୀ ନୁହେଁ, ଝିଅମାନଙ୍କ ଉଚ୍ଚଶିକ୍ଷା ଓ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧାରୁ ମଧ୍ୟ ପରିବାର ବଞ୍ଚିତ ହେଉଛି।ଦିନ ମଜୁରି କରି ପରିବାର ଚଳାଉଥିବା ବୃନ୍ଦାବନ ସୁନା କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିରେ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ପ୍ରଶାସନ ମାନବିକ ଦୃଷ୍ଟିକୋଣରୁ ତାଙ୍କ ସମସ୍ୟାକୁ ବିଚାର କରି ଶୀଘ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ସହ ଆଧାର କାର୍ଡ ପୁନଃ ପ୍ରାପ୍ତିରେ ସହାୟତା କରିବାକୁ ସେ ନିବେଦନ କରିଛନ୍ତି ।

ଏହି ଘଟଣା ପୁଣିଥରେ ପ୍ରଶ୍ନ ଉଠାଇଛି ଯେ, କେବଳ ଦଲିଲ ଅଭାବରୁ ଜଣେ ପ୍ରକୃତ ଗରିବ ପରିବାର ସରକାରୀ ସୁବିଧାରୁ ବଞ୍ଚିତ ହେବା କେତେଦୂର ଯୁକ୍ତିସଙ୍ଗତ। ସମ୍ପୃକ୍ତ ବିଭାଗ ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande