
ବଲାଙ୍ଗୀର, ୨୪ ଜୁନ୍(ହି.ସ.) – ଜିଲ୍ଲା ଭିତିକ ଅନୁଷ୍ଠାନ ଲେଖକ ପରିଷଦ, ବଲାଙ୍ଗୀରର ନେତୃତ୍ୱ ଓ ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦର ମିଳିତ ଆନୁକୂଲ୍ୟରେ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦର ମହାସମାବେଶ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ପଂଚାୟତ ସମିତି ଡିଗ୍ରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମା’ ଦ୍ୱାରସେନୀ ଓ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ତଥା କବି ସୁଶାନ୍ତ ବାଗଙ୍କ ଦ୍ୱାରା ମାଙ୍ଗଳିକ ଗାନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲା ଲେଖକ ପରିଷଦର ସଭାପତି ଡଃ. ଜୟକୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ଏହି ସଭାରେ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦର ସଭାପତି ଡଃ ନାରାୟଣ ମିଶ୍ର ଆବାହକ ଭାବରେ ମଂଚାସୀନ ଥିଲେ। ମୁଖ୍ୟଅତିଥି ଭାବରେ ରାଜ-ଖଡ଼ିଆଳର ପ୍ରବିଣ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଡ଼ଃ. ଲୋହିତାକ୍ଷ ଯୋଶୀ, ସମ୍ମାନିତ ଅତିଥି ଭାବରେ ଲେଖକ ପରିଷଦର ଉପଦେଷ୍ଟା ସନାତନ ଠାକୁର, ଉପ-ସଭାପତି କବି ଭିକାରୀ ଚରଣ ମିଶ୍ର, କବି କ୍ଷୀରୋଦ ଷଡ଼ଙ୍ଗୀଙ୍କ ସହିତ ବକ୍ତା ଭାବରେ ଅଧ୍ୟାପକ ଓ କବି ଡଃ. ସଞ୍ଜୟ ମିଶ୍ର, ଅଧ୍ୟାପକ ଦିଲୀପ କୁମାର ପଶାୟତଙ୍କ ସହିତ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ବିଶିଷ୍ଟ ସଙ୍ଗୀତଜ୍ଞ ରେଣୁରଞ୍ଜନ ବାଗ ପ୍ରମୁଖ ଅତିଥି ଭାବରେ ମଂଚାସୀନ ଥିଲେ। କୋଶଲି ସାହିତ୍ୟ ନେତୃତ୍ୱ ଆର୍ ଦର୍ଶନ’ ଶୀର୍ଷକ ଆଲୋଚନାରେ ଭାଗନେଇ ଆଧୁନିକତାକୁ ବ୍ୟାପକ ସ୍ତରରେ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ବକ୍ତା ଓ ଅତିଥିମାନେ ମତପୋଷଣ କରିଥିଲେ। କାର୍ଯ୍ୟକ୍ରମକୁ କବି ଜ୍ୟୋତି ପ୍ରକାଶ ଗଡ଼ତ୍ୟା ସଂଯୋଜନା କରିଥିଲେ।
ଲେଖକ ପରିଷଦର ଅନ୍ୟତମ ଉପଦେଷ୍ଟା ନାଟ୍ୟକାର ନୀଳମଣି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ଅଧ୍ୟାପିକା ମିନତୀ ରଥ ଓ ବଙ୍ଗୋମୁଣ୍ଡା ବନାଂଚଳ ଅଧିକାରୀ ପଦ୍ମନାଭ କୁମ୍ଭାରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତଦ୍ଅନ୍ତେ ଅନୁଷ୍ଠିତ କବିତା ଆସରରେ କବି ସୁରେଶ ଭୋଇ, ଶ୍ରୀପାଳ ପଣ୍ଡା, ମଧୁସୂଦନ ଦାସ, ସତ୍ୟନାରାୟଣ ମିଶ୍ର ପ୍ରମୁଖଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ କବି ଡଃ କୌତୁକ ପନ୍ଦର, ଡଃ. ଜଗନ୍ନାଥ ସାହୁ, ଡ଼ଃ ବ୍ରଜ ମୋହନ ମେହେର, ଲକ୍ଷ୍ମୀକାନ୍ତ ବିଭାର, ବୃନ୍ଦାବନ କୁମ୍ଭାର, ଗଣେଶ ବାରିକ, ରାଜିବ ସଗରିଆ, କବି ସୁଶାନ୍ତ ବାଗଙ୍କ ସମେତ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ଅନେକ କବି କବୟିତ୍ରୀ ସାମିଲ ହୋଇ କବିତା ପଠନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ