
ଶିଶୁ ଶ୍ରମିକ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ବ୍ୟାପକ ପରାମର୍ଶ କର୍ମଶାଳା
ଝାରସୁଗୁଡ଼ା, 24 ଜୁନ୍ (ହି.ସ.) ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡି.ଏମ୍.ଏଫ୍. ଅଡିଟୋରିୟମ୍ ହଲ୍ଠାରେ ଏକ ବୃହତ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ଅଭିଯାନ ପରାମର୍ଶ ବୈଠକ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମାନ୍ୟବର ଅଧ୍ୟକ୍ଷା ବବିତା ପାତ୍ର ,ସମ୍ମାନୀତ ଅତିଥି ଭାବେ ବିଧାୟକ ଟଙ୍କଧର ତ୍ରିପାଠୀ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତି ଚନ୍ଦନା ଦାସ , ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ, ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେଙ୍ଗ, ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଜେମ୍ସ ସମlଦ,ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ନଭାଲ ଅଗ୍ରୱାଲ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ରିନା ପଟେଲ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ରିସୋର୍ସ ପର୍ସନ ସରୋଜ କୁମାର ବାରିକ, ଜିଲ୍ଲା ଶ୍ରମ ଅଧିକାରୀ ସୁନିତା ଲାକ୍ରା ଯୋଗ ଦେଇ ଶିଶୁ ସୁରକ୍ଷା, ଶିଶୁ ଶ୍ରମ ନିରାକରଣ ଅଭିଯାନ ଉପରେ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବିଭାଗରୁ ଅଂଶ ଗ୍ରହଣ କରିଥିବା ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ, ଏନ ଜି ଓ, ସ୍ୱେଚ୍ଛାସେବୀ ସଂଗଠନ ର ପ୍ରତିନିଧି ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।
ଏହି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସୁନିତା ଲାକ୍ରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଚାଲିଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ସହକାରୀ ଶ୍ରମ ଅଧିକାରୀ, ଲଖନପୁର ତରୁଣ କୁମାର ମହାନ୍ତି ମଞ୍ଚ ପରିଚାଳନା ଓ ସଭା ସଂଯୋଜନା କରିଥିଲେ। ଜିଲ୍ଲାପାଳ ଶ୍ରୀ ଚହ୍ବାଣ ସ୍ୱାଗତ ଅଭିଭାଷଣ ରଖି କହିଥିଲେ ଯେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଶିଶୁମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମାନ୍ୟବର ଅଧ୍ୟକ୍ଷା ବବିତା ପାତ୍ର କହିଥିଲେ ପ୍ରତ୍ୟେକଟି ଶିଶୁ ହେଉଛି ଆମ ସମାଜର ଭବିଷ୍ୟତ। ସେମାନଙ୍କର ଶିକ୍ଷା ଲାଭ କରିବାର, ହସିଖେଳି ବଡ଼ ହେବାର ଏବଂ ସମାଜରେ ମୁଣ୍ଡ ଟେକି ବଞ୍ଚିବାର ସମ୍ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ରହିଛି। ଆମକୁ ସାମାଜିକ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ହେବ, ଯେପରି କୌଣସି ବି ପିଲା ନିଜର ଶୈଶବକୁ ଶ୍ରମର ନିଆଁରେ ଜାଳି ନଦିଏ। ପିଲାମାନଙ୍କ କୁନି କୁନି ହାତରେ କୌଣସି ଶ୍ରମର ସାମଗ୍ରୀ ବ୍ରସ ବଦଳରେ କଲମ ରହିବା ଉଚିତ ଏବଂ ଇଟା ଭାଟିର ପଥର ବଦଳରେ ସେମାନଙ୍କ କାନ୍ଧରେ ବହି-ବସ୍ତାନୀ ଶୋଭା ପାଇବା ଉଚିତ। ଆମ ସମସ୍ତଙ୍କର ମିଳିତ ପ୍ରୟାସରେ ହିଁ ଏକ ଶିଶୁ ଶ୍ରମିକ ମୁକ୍ତ ଝାରସୁଗୁଡ଼ା ଗଠନ ହୋଇପାରିବ।
ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ଆହୁରି ମଧ୍ୟ କହିଥିଲେ ଯେ, ଋତୁକାଳୀନ ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ସୁରକ୍ଷା, ବିଦ୍ୟାଳୟରୁ ଡ୍ରପଆଉଟ୍ ହେଉଥିବା ଛାତ୍ରଛାତ୍ରୀ ଏବଂ ସହରାଞ୍ଚଳରେ ଦେଖାଯାଉଥିବା ଶିଶୁ ଭିକ୍ଷାବୃତ୍ତିର ସମ୍ପୂର୍ଣ୍ଣ ନିରାକରଣ ପାଇଁ ସମସ୍ତ ସରକାରୀ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଜରୁରୀ। ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକ କ୍ଷେତ୍ରସ୍ତରରେ ଦକ୍ଷତା ବିକାଶ ଓ ବ୍ୟାପକ ପ୍ରଚାର ପ୍ରସାର କରି ନିଜର ଗୁରୁ ଦାୟିତ୍ୱ ନିର୍ବାହ କରନ୍ତୁ। ଚାଇଲ୍ଡଲାଇନ୍ (୧୦୯୮) ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିଳିତ ଭାବେ ସୂଚନା ଆଦାନପ୍ରଦାନ କରି ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରନ୍ତୁ ଏବଂ ସେମାନଙ୍କ ପରିବାରକୁ ଆର୍ଥିକ ସ୍ଥିରତା ଦେବା ପାଇଁ ରୋଜଗାର ସୁଯୋଗ ଯୋଗାଇ ଦିଅନ୍ତୁ। ଏଥିସହ ମିଶନ ଶକ୍ତିର ଏସ ଏଚ ଜି ମା’ମାନଙ୍କୁ ସାମିଲ କରି ସେମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ଓ ବୈଷୟିକ ପ୍ରଶିକ୍ଷଣ ପ୍ରଦାନ କରିବାକୁ ସେ ପ୍ରଶାସନକୁ ଅନୁରୋଧ କରିଥିଲେ। ତତସହିତ ଶିଶୁ ଶ୍ରମ ମୁକ୍ତ ୱାର୍ଡ, ଶିଶୁ ଶ୍ରମ ମୁକ୍ତ ଗାଁ, ଶିଶୁ ଶ୍ରମ ମୁକ୍ତ ପଂଚାୟତ ଗଠନ ସହ ବାଲ୍ୟ ବିବାହ ମୁକ୍ତ କରିବାକୁ ମଧ୍ୟ ଆହ୍ୱାନ କରିଥିଲେ l
ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଆମକୁ କେବଳ ବୈଠକ ଭିତରେ ସୀମିତ ନରହି ନିଜ ନିଜର ଭୂମିକାକୁ ସଠିକ୍ ଭାବେ ଆକଳନ ଓ ଆତ୍ମସମୀକ୍ଷା କରିବାକୁ ହେବ। ସରକାରଙ୍କ ଯେଉଁ ସବୁ ଗାଇଡଲାଇନ ରହିଛି, ତାହା କେତେଦୂର କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ ହେଉଛି ତାହା ଦେଖିବା ଦରକାର। ଆଜିକାଲି କିଶୋର ଅବସ୍ଥାରେ ପିଲାମାନେ ମୋବାଇଲ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି, ଯାହା ସେମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଉଛି। ତେଣୁ ବିଶେଷ କରି ୯ମ ଓ ୧୦ମ ଶ୍ରେଣୀର ପିଲାମାନଙ୍କ ପାଇଁ ଏମ୍ ସି ଏଲ ର ସି ଏସ ଆର ପାଣ୍ଠି ସହାୟତାରେ ବ୍ୟାପକ ଭାବେ କ୍ୟାରିୟର କାଉନସେଲିଂ ଏବଂ ସ୍କିଲିଂ କାର୍ଯ୍ୟକ୍ରମ କରାଯାଉ। ପ୍ରତି ମାସରେ ସେହି ପିଲାମାନେ କେଉଁଠି ଅଛନ୍ତି ଏବଂ ସେମାନଙ୍କର କିପରି ବିକାଶ ହେଉଛି ତାର ତଦାରଖ କରାଯାଉ। ବିଧାୟକ ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ୯୫୫ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରାଯାଇ ସାରିଛି। ସେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଜିଲ୍ଲାରେ ଥିବା ବିଭିନ୍ନ ହୋଟେଲ, ଢାବା ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଚିହ୍ନଟ କରାଯାଉ ଏବଂ ସେଠାରୁ କାର୍ଯ୍ୟରତ ଶିଶୁମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଉଦ୍ଧାର କରାଯାଉ, ତେବେ ଯାଇ ଶିଶୁ ଶ୍ରମିକ ନିରାକରଣର ପ୍ରକୃତ ଫଳ ମିଳିପାରିବ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦଙ୍କ ପ୍ରତିନିଧି ରିନା ପଟେଲ କହିଥିଲେ ଯେ ଆମ ସମାଜର ଶିକ୍ଷା ଓ ସଂସ୍କୃତିକୁ ଆଗକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ। ଆସନ୍ତା ୨୦୩୬ ମସିହା ସୁଦ୍ଧା ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଝାରସୁଗୁଡ଼ାକୁ ସମ୍ପୂର୍ଣ୍ଣ ଭାବେ ଶିଶୁ ଶ୍ରମିକ ମୁକ୍ତ ଏବଂ ନିରକ୍ଷରତା ମୁକ୍ତ କରି ଏକ 'ବିକଶିତ ଓଡ଼ିଶା' ଗଠନ ଦିଗରେ ଆମକୁ ଏବେଠାରୁ ଦୃଢ଼ ପଦକ୍ଷେପ ନେବାକୁ ହେବ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେଙ୍ଗ ଯୋଗଦେଇ ଝାରସୁଗୁଡ଼ା ଜିଲ୍ଲାର ବର୍ତ୍ତମାନର ସ୍ଥିତି ଓ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପ୍ରୟାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟରେ ଏକ ସ୍ୱତନ୍ତ୍ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସକୁ ଅଧିକ ସକ୍ରିୟ କରିବା, ପ୍ରତି ମାସରେ ନିୟମିତ ସମୀକ୍ଷା ବୈଠକ କରିବା, ଉଦ୍ଧାର ହୋଇଥିବା ଶିଶୁମାନଙ୍କ ପାଇଁ ପୁନର୍ବାସ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ଜିଲ୍ଲାର ପ୍ରତିଟି ଗ୍ରାମକୁ 'ଶିଶୁ ଅନୁକୂଳ ଗ୍ରାମ' ଭାବେ ଗଢ଼ିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଚନ୍ଦନା ଦାସ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମ୍ମିଳନୀରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସମ୍ବଳ ବ୍ୟକ୍ତି ସରୋଜ କୁମାର ବାରିକ ଶିଶୁ ଶ୍ରମ ନିରାକରଣ ର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ପ୍ରଶ୍ନୋତ୍ତର ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ସହକାରୀ ଶ୍ରମ ଅଧିକାରୀ, ଝାରସୁଗୁଡା ପ୍ରିୟଙ୍କା ସାହୁ,ସହକାରୀ ଶ୍ରମ ଅଧିକାରୀ କିର୍ମୀରl ଦୀପକ ଏକ୍କା, ସହକାରୀ ଶ୍ରମ ଅଧିକାରୀ, କୋଲାବିରା ଦେବାଶିଷ ତରେଇ ଏବଂ ଜ଼ିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ lଏଥି ସହ ଜିଲ୍ଲାର ବିଭିନ୍ନ ବିଭାଗରୁ ଆସିଥିବା ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ, ଏନଜିଓ ଏବଂ ବହୁ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ