
ଭୁବନେଶ୍ୱର, ୨୪ ଜୁନ୍ (ହି.ସ.): ଓଡ଼ିଶା ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସଂପତି ଠୁଳ (ଡିଏ)
ମାମଲାରେ ସମ୍ବଲପୁର ଡିଭିଜନର ସିଏଡିଏର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କୁ ଗିରଫ କରିଛି।
ତାଙ୍କୁ ବୁଧବାର ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ପଦ୍ମଲୋଚନ ନାୟକଙ୍କ ସ୍ଥାବର ଓ
ଅସ୍ଥାବର ସମ୍ପତ୍ତି ଉପରେ ଚଢ଼ାଉ କରାଯାଇଥିଲା। ତଲାସି ସମୟରେ ତାଙ୍କ ପାଖରେ ଜଣାଶୁଣା ଆୟର
ଉତ୍ସ ତୁଳନାରେ ବହୁ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଥିଲା।
ତଦନ୍ତରେ କଟକରେ ଅବସ୍ଥିତ ୧୮,୮୪୦ ବର୍ଗଫୁଟ୍ କ୍ଷେତ୍ରଫଳ ବିଶିଷ୍ଟ ଏକ ବହୁତଳ କୋଠା
ସମେତ ମୋଟ ୩ଟି ଘର, ୧୮ଟି ମୂଲ୍ୟବାନ
ଜମିଖଣ୍ଡ, ୩.୪୫ ଲକ୍ଷ ଟଙ୍କା
ନଗଦ, ୩ଟି ଚାରିଚକିଆ
ଗାଡ଼ି, ୨ଟି ଜେସିବି
ମେସିନ୍, ଗୋଟିଏ ଟ୍ରାକ୍ଟର ଓ
ଗୋଟିଏ ଟ୍ରେଲର ସମେତ ଅନ୍ୟାନ୍ୟ ସମ୍ପତ୍ତି ଠାବ କରାଯାଇଥିଲା।
ଭିଜିଲାନ୍ସ ଅଧିକାରୀମାନଙ୍କ କହିବା ଅନୁସାରେ, ପଦ୍ମଲୋଚନ ନାୟକ
ଏହି ସମ୍ପତ୍ତିଗୁଡ଼ିକର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେବାରେ ବିଫଳ ହୋଇଥିଲେ।
ଏହାକୁ ଆଧାର କରି ତାଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ)
ଅଧିନିୟମ, ୨୦୧୮ର ବିଭିନ୍ନ
ଧାରାରେ ମାମଲା ରୁଜୁ କରାଯାଇଛି।
ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଘଟଣାର ବିସ୍ତୃତ
ତଦନ୍ତ ଜାରି ରହିଛି ଏବଂ ସମ୍ପତ୍ତିର ଉତ୍ସ ସମ୍ପର୍କରେ ଅଧିକ ଖୋଳତାଡ଼ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା