ଡାହାଣୀ ସନ୍ଦେହ ଓ ଅନ୍ଧବିଶ୍ଵାସ ବିରୁଦ୍ଧରେ ପ୍ରଶାସନର କଠୋର ଆଭିମୁଖ୍ୟ : ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଧ୍ୟକ୍ଷତାରେ ସ୍ପେଶାଲ୍ ପୋଲିସ ବୈଠକ, ସମାଜରୁ କୁସଂସ୍କାର ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ
ମାଲକାନଗିରି, ୮ ଜୁନ୍ (ହି.ସ.)- ସମାଜକୁ କଳଙ୍କିତ କରୁଥିବା ଅନ୍ଧବିଶ୍ୱାସ, କୁସଂସ୍କାର ଏବଂ ଡାହାଣୀ ସନ୍ଦେହରେ ହେଉଥିବା ଜଘନ୍ୟ ହିଂସାକାଣ୍ଡର ସମ୍ପୂର୍ଣ୍ଣ ଦୂରୀକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି ସାମାଜିକ ବ୍ୟାଧିକୁ ମୂଳପୋଛ କରିବା ଉଦ୍ଦେଶ୍ୟରେ ଜିଲ୍ଲ
ଡାହାଣୀ ସନ୍ଦେହ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ପ୍ରଶାସନର କଠୋର ଆଭିମୁଖ୍ୟ: ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଧ୍ୟକ୍ଷତାରେ ସ୍ପେଶାଲ୍ ପୋଲିସ ବୈଠକ, ସମାଜରୁ କୁସଂସ୍କାର ହଟାଇବାକୁ


ମାଲକାନଗିରି, ୮ ଜୁନ୍ (ହି.ସ.)- ସମାଜକୁ କଳଙ୍କିତ କରୁଥିବା ଅନ୍ଧବିଶ୍ୱାସ, କୁସଂସ୍କାର ଏବଂ ଡାହାଣୀ ସନ୍ଦେହରେ ହେଉଥିବା ଜଘନ୍ୟ ହିଂସାକାଣ୍ଡର ସମ୍ପୂର୍ଣ୍ଣ ଦୂରୀକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି ସାମାଜିକ ବ୍ୟାଧିକୁ ମୂଳପୋଛ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସଭାପତିତ୍ୱରେ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ପୋଲିସ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ୍ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଗ୍ରାମାଞ୍ଚଳ, ବିଶେଷ କରି ଉପାନ୍ତ ଓ ଜନଜାତି ବହୁଳ ଅଞ୍ଚଳରେ ଘଟୁଥିବା ଏଭଳି ସମ୍ବେଦନଶୀଳ ଘଟଣାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନରେ ଡାହାଣୀ ସନ୍ଦେହ କିମ୍ବା ଗୁଣିଗାରେଡ଼ି ଅଭିଯୋଗ ଆସିଲେ, ପ୍ରଶାସନ ତୁରନ୍ତ ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସ୍ପଷ୍ଟ କରାଯାଇଛି। କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଲୋକଙ୍କ ମନରୁ ଭୟ ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ଗ୍ରାମ ସ୍ତରରେ ବ୍ୟାପକ ସଚେତନତା ସଭା, ପଥପ୍ରାନ୍ତ ନାଟକ ଏବଂ କମ୍ୟୁନିଟି ପୋଲିସିଂ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି ଯେ, ଏହି କୁସଂସ୍କାର ବିରୁଦ୍ଧରେ ସଚେତନ ହେବା ଏବଂ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ସମାଜ ଗଠନ କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ। ଶିକ୍ଷା ଓ ବିଜ୍ଞାନର ସହାୟତାରେ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସମସ୍ତେ ମିଶି ସଂକଳ୍ପ ନେବା ଜରୁରୀ। ସମାଜରୁ ଏହି ବ୍ୟାଧିକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ପାଇଁ ଜନସାଧାରଣ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇ ସହଯୋଗ କରିବାକୁ ନିବେଦନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande