
ଝାରସୁଗୁଡା, ୮ ଜୁନ୍ (ହି.ସ.)- ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ପଞ୍ଚାୟତରେ ଚାଲିଥିବା ଏକ ନିର୍ମାଣ କାର୍ଯ୍ୟକୁ ନେଇ ଦୁର୍ନୀତି ଓ ନିମ୍ନମାନର କାମ ଅଭିଯୋଗ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାତଲଇଡ଼ା ସାପ୍ତାହିକ ହାଟ ନିକଟରେ ନିର୍ମାଣାଧୀନ ଏକ ଘରର ଗୁଣବତ୍ତା ଓ ନିର୍ମାଣ ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ଉଠିଥିବା ବେଳେ ପ୍ରଶାସନର ନିରବତା ସାଧାରଣ ଲୋକଙ୍କ ଅସନ୍ତୋଷକୁ ବଢ଼ାଇଛି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଘରର ଭିତର ଫିଲିଂ କାମରେ ପାଉଁଶ (ଫ୍ଲାଏଆସ୍) ବ୍ୟବହାର କରାଯାଇଥିବା ସହ ଇଟା ଯୋଡ଼େଇ କାମରେ ନିର୍ଦ୍ଧାରିତ ମାନକ ଅନୁଯାୟୀ ସିମେଣ୍ଟ ଓ ବାଲି ବ୍ୟବହାର କରାଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମାଜସେବୀ ଅଶୋକ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉମାଶଙ୍କର ପ୍ରଧାନଙ୍କ ସମେତ ଅନେକ ସଚେତନ ନାଗରିକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସମାନ ପ୍ରକାରର ଅଭିଯୋଗ ଉଠିବା ପରେ ସଂପୃକ୍ତ ଠିକାଦାର ନିର୍ମିତ ଘରକୁ ଭାଙ୍ଗି ଦେଇଥିଲେ। ତେବେ ସାପ୍ତାହିକ ହାଟ ନିକଟରେ ନିର୍ମାଣାଧୀନ ଅନ୍ୟ ଘର କ୍ଷେତ୍ରରେ ପ୍ରଶାସନ କାହିଁକି ନିରବ ରହିଛି ବୋଲି ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ, ଉକ୍ତ ନିର୍ମାଣ କାର୍ଯ୍ୟ କେଉଁ ବିଭାଗ ଦ୍ୱାରା, କେଉଁ ଯୋଜନାରେ ଏବଂ କେତେ ଅର୍ଥ ବ୍ୟୟରେ କରାଯାଉଛି ସେ ସମ୍ପର୍କରେ କୌଣସି ସୂଚନା ଫଳକ ପ୍ରଦର୍ଶନ କରାଯାଇନଥିବାରୁ ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଘଟଣାର ଶୀଘ୍ର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ଗଢ଼ିଉଠିବାର ସମ୍ଭାବନା ରହିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ