କାଳବୈଶାଖୀ ବଜ୍ରପାତରେ ୮ ବର୍ଷର ନାବାଳକର ମୃତ୍ୟୁ, ମାଆଙ୍କୁ ଆଣିବାକୁ ଯାଇ ଚାଲିଗଲା ଜୀବନ
ଭଦ୍ରକ, ୮ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମୟରେ ଘଟିଛି ଏକ ହୃଦୟବିଦାରକ ଅଘଟଣ। ମାଆଙ୍କୁ ଗୁହାଳ ଘରୁ ଆଣିବା ପାଇଁ ଛତା ଧରି ଯାଉଥିବା ବେଳେ ବଜ୍ରପାତରେ ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବନ୍ଧଗାଁ ପଂଚାୟତର ସାମଲ ସ
BAJRAPATARE 8 YEARS CHILD DEATH


ଭଦ୍ରକ, ୮ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମୟରେ ଘଟିଛି ଏକ ହୃଦୟବିଦାରକ ଅଘଟଣ। ମାଆଙ୍କୁ ଗୁହାଳ ଘରୁ ଆଣିବା ପାଇଁ ଛତା ଧରି ଯାଉଥିବା ବେଳେ ବଜ୍ରପାତରେ ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବନ୍ଧଗାଁ ପଂଚାୟତର ସାମଲ ସାହିରେ ଘଟିଛି। ସୂଚନା ଅନୁଯାୟୀ, ରବିବାର ଅପରାହ୍ଣରେ ଅଂଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହେଉଥିଲା। ସେହି ସମୟରେ ଗ୍ରାମର ସୁବାସ ସାମଲଙ୍କ ପତ୍ନୀ ପୁଷ୍ପଲତା ଗୁହାଳ ଘରେ ଗାଈଗୋରୁ ବାନ୍ଧିବା କାମରେ ବ୍ୟସ୍ତ ଥିଲେ। ବର୍ଷା ବଢ଼ିବାରୁ ସେ ଘରକୁ ଫେରି ପାରିନଥିଲେ। ମାଆଙ୍କୁ ଘରକୁ ଆଣିବା ପାଇଁ ତାଙ୍କ ୮ ବର୍ଷର ପୁଅ ସୁଜିତ ଛତା ଧରି ଗୁହାଳ ଘର ଆଡ଼କୁ ଯାଉଥିଲା। ହେଲେ ଭାଗ୍ୟର ନିଷ୍ଠୁର ପରିହାସ ସାଜିଥିଲା ସେହି ମୁହୂର୍ତ। ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହେବାରୁ ନାବାଳକଟି ସେଠାରେ ଟଳି ପଡ଼ିଥିଲା। ମାଆଙ୍କ ଆଖି ଆଗରେ ଘଟିଥିବା ଏହି ଅଘଟଣ ପରିବାରକୁ ସ୍ତବ୍ଧ କରିଦେଇଥିଲା। ପରିବାର ଲୋକେ ତୁରନ୍ତ ନାବାଳକଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ନାବାଳକର ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ମୃତ ନାବାଳକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। କାଳବୈଶାଖୀ ସମୟରେ ବଜ୍ରପାତ ଘଟଣା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ବାରମ୍ବାର ପରାମର୍ଶ ଦିଆଯାଉଥିବା ବେଳେ ଏହି ଘଟଣା ପୁଣିଥରେ ସମସ୍ତଙ୍କୁ ସଚେତନ ରହିବାର ଆବଶ୍ୟକତା ମନେ ପକାଇ ଦେଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande