
ଭଦ୍ରକ, ୮ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଚିକିତ୍ସାଳୟ ପରିସରରେ ସଫାସୁତୁରାର ଅଭାବ ଏବଂ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜ୍ଜନା ଜମି ରହିଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁନଥିବା ରୋଗୀମାନେ କହିଛନ୍ତି। ବିଶେଷକରି ମହିଳା ୱାର୍ଡରେ ଅସିତିପର ବୃଦ୍ଧାଙ୍କୁ ଜରୁରୀକାଳୀନ ଭିତିରେ ବେଡ ନଦେଇ ଚଟାଣରେ ଶୁଆଇ ଯେଭଳି ଭାବେ ଚିକିତ୍ସା କରାଯାଉଛି, ତାହାର ବିକଳ ଚିତ୍ର ଦେଖିଲେ ଯେ କେହି ଏହି ଆଧୁନିକ ଚିକିତ୍ସାଳୟର ଚିକିତ୍ସା ପଦ୍ଧତିକୁ ନିନ୍ଦା କରିବ। ଚିକିତ୍ସାଳୟର ଶିଶୁ ବିଭାଗରେ ଅସ୍ୱଚ୍ଛ ପରିବେଶ ଯୋଗୁଁ ରୋଗୀ ଓ ସେମାନଙ୍କ ପରିବାରବର୍ଗ ଚିନ୍ତା ପ୍ରକାଶ କରିଛନ୍ତି। ଚିକିତ୍ସା ପାଇଁ ଆସୁଥିବା ଶିଶୁ ଓ ଅଭିଭାବକମାନେ ଅସୁବିଧାରେ ପଡ଼ୁଥିବା ବେଳେ, ଚିକିତ୍ସାଳୟ କର୍ତୃପକ୍ଷଙ୍କ ଉଦାସୀନତା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ, ଚିକିତ୍ସାଳୟରେ ନିୟୋଜିତ କେତେକ ସୁରକ୍ଷା କର୍ମଚାରୀଙ୍କ ବ୍ୟବହାରକୁ ନେଇ ମଧ୍ୟ ଅଭିଯୋଗ ଆସିଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ କହିବା ଅନୁସାରେ, କିଛି ସୁରକ୍ଷା କର୍ମଚାରୀ ସାଧାରଣ ଲୋକଙ୍କ ସହ ଅଭଦ୍ର ବ୍ୟବହାର କରୁଥିବା ସହ ଧମକପୂର୍ଣ୍ଣ ଭାଷା ପ୍ରୟୋଗ କରୁଛନ୍ତି। ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସମ୍ପୃକ୍ତ ସଂସ୍ଥା ବିରୋଧରେ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥାର ଉନ୍ନତି ସହ ରୋଗୀମାନଙ୍କ ସହ ମାନବିକ ବ୍ୟବହାର ସୁନିଶ୍ଚିତ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ନଚେତ୍ ଆଗାମୀ ଦିନରେ ଏହି ସମସ୍ୟା ଆହୁରି ଗମ୍ଭୀର ରୂପ ନେଇପାରେ। ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ