
ଜୟପୁର, ୮ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଡେଙ୍ଗପଦର ଗ୍ରାମରେ ଏବେ ଚିନ୍ତାରେ ଆବାସ ହିତାଧିକାରୀ। ସରକାରୀ ଆବାସ ଘର ନିର୍ମାଣ ପାଇଁ ମିଳୁନାହିଁ ଆବଶ୍ୟକ କଞ୍ଚାମାଲ। ବାଲି ଓ ଗୋଡ଼ିର ଦର ଆକାଶଛୁଆଁ ହୋଇଥିବା ବେଳେ ଅଧାରେ ଅଟକି ରହିଛି ଅନେକ ଘର କାମ।
ଗରିବ ଲୋକଙ୍କ ପାଇଁ ପକ୍କା ଘରର ସ୍ବପ୍ନ ସାକାର କରିବାକୁ ସରକାର ଆରମ୍ଭ କରିଛନ୍ତି ଆବାସ ଯୋଜନା। କିନ୍ତୁ ବର୍ତ୍ତମାନ କଞ୍ଚାମାଲ ଅଭାବ ଯୋଗୁଁ ସମସ୍ୟାରେ ପଡ଼ିଛନ୍ତି ହିତାଧିକାରୀ। ବୋରିଗୁମ୍ମା ବ୍ଲକର ଡେଙ୍ଗପଦର ଗ୍ରାମରେ ଘର ନିର୍ମାଣ ପାଇଁ ବାଲି ଓ ଗୋଡ଼ି ସହଜରେ ମିଳୁନାହିଁ। ଯେଉଁ ସାମଗ୍ରୀ ଆଗରୁ କମ ଦରରେ ମିଳୁଥିଲା, ଏବେ ସେହି ସାମଗ୍ରୀକୁ ଅଧିକ ଦର ଦେଇ କିଣିବାକୁ ପଡୁଛି। ଫଳରେ ସରକାରୀ ସହାୟତା ରାଶିରେ ଘର କାମ ସମ୍ପୂର୍ଣ୍ଣ କରିବା ହିତାଧିକାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବର୍ଷା ଋତୁ ଆସୁଥିବା ବେଳେ ଘର କାମ ସରିବ କି ନାହିଁ ସେନେଇ ଚିନ୍ତାରେ ରହିଛନ୍ତି ପରିବାର। ଏହା ସହିତ କଞ୍ଚାମାଲ ଦର ନିୟନ୍ତ୍ରଣ ଓ ସହଜ ଯୋଗାଣ ପାଇଁ ପ୍ରଶାସନକୁ ଦାବି କରିଛନ୍ତି ଗ୍ରାମବାସୀ।
ଅନ୍ୟପଟେ ଏ ସମ୍ପର୍କରେ ଜନ ଶୁଣାଣୀ ସମୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି ଯେ, ବର୍ତମାନ ଏହି ସମସ୍ୟା ଆମର ଦୃଷ୍ଟିଗୋଚର ହୋଇଛି କିନ୍ତୁ, ଆଗରୁ ଅଧିକାଂଶ ସ୍ଥାନରେ ବେଆଇନ ବାଲି ଓ ଗୋଡ଼ି ପଥର ଖାଦାନ ବେଆଇନ ଭାବେ ଚାଲିଥିଲା ଯାହା ଉପରେ ପ୍ରଶାସନ ଦୃଢ ଆକ୍ସନ ନେଇଛି ଓ ଆଗାମୀ ଦିନରେ ଯେଉଁ ସବୁ ଜାଗାରେ ଏହି ସବୁ କଞ୍ଚାମାଲ ସୁବିଧାରେ ହିତାଧିକାରୀଙ୍କୁ ମିଳିପାରିବ ତାକୁ ନେଇ ଆଲୋଚନା କରାଯିବ ଓ ଖୁବ ଶୀଘ୍ର ଏ ସବୁର ସମାଧାନ ମଧ୍ୟ କରାଯିବ | କେବଳ ଯୋଜନା ଘୋଷଣା କଲେ ହେବନି, ହିତାଧିକାରୀମାନେ କିପରି ସମୟରେ ଘର କାମ ସମ୍ପୂର୍ଣ୍ଣ କରିପାରିବେ ସେଥିପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି |
ହିନ୍ଦୁସ୍ଥାନ ସମାଚାର / ପିକେପି