








ସମ୍ବଲପୁର, ୦୮, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଖଡିଆପଡା ଗ୍ରାମରେ ପଡ଼ୋଶୀଙ୍କ ବିବାଦକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ ଦୁଇଜଣ ମହିଳାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏହି ଘଟଣାରେ ପୋଲିସ ଗ୍ରାମର ୨୦ ବର୍ଷିୟ ଅଭିଯୁକ୍ତ ଅଜୟ ପଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ ଜୁନ ୭ ତାରିଖ ବିଳମ୍ବିତ ରାତିରେ ତଥା ୮ ତାରିଖ ମଧ୍ୟରାତ୍ରିରେ ଗିରିପାଲି ଖଡିଆପଡା ଗ୍ରାମର ଅଜୟ ପଧାନ ପୂର୍ବ ଶତ୍ରୁତା ଏବଂ ପଡ଼ୋଶୀ ବିବାଦକୁ ନେଇ ତାଙ୍କ ପଡ଼ୋଶୀ ୬୦ ବର୍ଷିୟା ଉର୍କୁଲି ପାତ୍ର ଓ ତାଙ୍କ ୩୫ ବର୍ଷିୟା ସ୍ୱାମୀ ପରିତ୍ୟକ୍ତା ଝିଅ ଲିଲିମା ଜଉଡ଼ା ଘର ବାହାର ବାରଣ୍ଡାରେ ଶୋଇଥିବା ବେଳେ ମେଟାଲ୍ ଚେନ୍ ସ୍ପ୍ରକେଟ୍ ସହ ଲୁହା ପାଇପ୍ ଲଗା ଅସ୍ତ୍ରରେ ମୁଣ୍ଡ ଓ ବେକକୁ ଶକ୍ତ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଶାସନ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ୧୫୮/୨୬ ରେ ଏକ ମାମଲା ରୁଜୁ କରି ସୋମବାର ଦିନ ତମାମ ତଦନ୍ତ କରିଥିଲା । ମୃତକଙ୍କ ପୁଅ ଜୟନ୍ତ ପାତ୍ର ନିଜ ମାଁ ଓ ଭଉଣୀର ମୃତ ଦେହ ଦେଖି ତୁରନ୍ତ ଏହି ଘଟଣା ସମ୍ପର୍କରେ ଶାସନ ଥାନାରେ ଅଭିଯୋଗ କରିଥିଲା। ମୃତଦେହ ଦୁଇଟିର ବ୍ୟବଚ୍ଛେଦ ବୁର୍ଲା ଭୀମସାର ଫରେନ୍ସିକ୍ ବିଭାଗରେ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ଘଟଣାରେ ବ୍ୟବହୃତ ମେଟାଲ୍ ଚେନ୍ ସ୍ପ୍ରକେଟ୍ ଓ ଲୁହା ପାଇପ୍ ଜବତ କରିଥିବା ବେଳେ ଅଭିଯୁକ୍ତ ଅଜୟ ପଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ହତ୍ୟାକାଣ୍ଡର ପ୍ରଚ୍ଛଦପଟରେ ବହୁ ସନ୍ଦେହ ଜନକ କାରଣ ରହିଥିବା କୁହାଯାଇଛି । ହତ୍ୟାକାଣ୍ଡ ଘଟିଥିବା ସ୍ଥାନର ଅନତିଦୂରରେ ଦେଶୀ ମଦ ପାଉଚର ଜରି ପଡିଥିବା ମାନେ ଅଭିଯୁକ୍ତ ଜଣଙ୍କ ମାତ୍ରାଧିକ ମଦ୍ୟପାନ ପରେ ଉଭୟ ମାଁ ଝିଅଙ୍କୁ ହତ୍ୟା କରିବାର ମାନସିକତା ସ୍ପଷ୍ଟ କରିଥିଲା । ଅପରପକ୍ଷରେ ବିଭିନ୍ନ ସମୟରେ ଅସାମାଜିକ ଓ ଅପରାଧୀକ କାର୍ଯ୍ୟକଳାପ ପାଇଁ ହତ୍ୟାର ଶିକାର ବୃଦ୍ଧା ଜଣଙ୍କ ଅଭିଭାବକ ଭାବେ ତାଗିଦ୍ କରିବା ସହ ଗାଳିଗୁଲଜ ମଧ୍ୟ କରୁଥିଲେ । ମାତ୍ରାଧିକ ନିଶା ସେବନ ପରେ ହିତାହିତ କାଣ୍ଡଜ୍ଞାନ ହରାଇ ଦୁଇ ଦୁଇ ଜଣଙ୍କୁ ହତ୍ୟ କରିବା ପରେ ନିଜେ ହତ୍ୟାକାରୀ ହିଁ ଥାନାକୁ ସୂଚନା ଦେଇଥିବା ଶୁଣାଯାଉଛି । ଗ୍ରାମାଂଚଳ ଗୁଡିକରେ ବ୍ୟାପକ ମାତ୍ରାରେ ଦେଶୀ ବିଦେଶୀ ସଦର ବହୁଳ ପ୍ରସାର ହିଁ ଅପରାଧୀକ ମାନସିକତାକୁ ବୃଦ୍ଧି କରାଉଛି ବୋଲି ଆଜିର ଘଟଣା ପରେ ସାଧାରଣରେ ଅଭିଯୋଗ ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ