
ଭୁବନେଶ୍ୱର, 08 ଜୁନ୍ (ହି.ସ.)ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପଟି ଗଜପତି ଜିଲ୍ଲାସ୍ଥିତ ପବିତ୍ର ମହେନ୍ଦ୍ରଗିରି ପର୍ବତରେ ଆୟୋଜିତ ମହେନ୍ଦ୍ରଗିରି ମେଳାରେ ଯୋଗଦେଇ ପବିତ୍ର ସ୍ନାନ ଓ ମହାଯଜ୍ଞରେ ଅଂଶଗ୍ରହଣ କରି ପୂଜାର୍ଚ୍ଚନା କରିଛନ୍ତି ।
ରାଜ୍ୟପାଳ ଏହି ଧାର୍ମିକ ଆୟୋଜନରେ ସାମିଲ ହେବାକୁ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ମହେନ୍ଦ୍ରଗିରି ଓଡ଼ିଶାର ସମୃଦ୍ଧ ଆଧ୍ୟାତ୍ମିକ ପରମ୍ପରା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଏବଂ ଏହା ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ପ୍ରମୁଖ ଆସ୍ଥା କେନ୍ଦ୍ର ଭାବେ ପରିଚିତ।
ସେ କହିଛନ୍ତି ଯେ, ମହେନ୍ଦ୍ରଗିରି ମେଳା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତ ଓ ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଅବସର। ଏହି ମେଳା କେବଳ ଧାର୍ମିକ ଭାବନାକୁ ସୁଦୃଢ଼ କରେ ନାହିଁ, ବରଂ ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ଜୀବନ୍ତ ରଖିଥାଏ।
ରାଜ୍ୟପାଳ ଭଗବାନ ପରଶୁରାମଙ୍କ ନିକଟରେ ରାଜ୍ୟ ଓ ଦେଶବାସୀଙ୍କ ଶାନ୍ତି, ସମୃଦ୍ଧି ଏବଂ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ