
କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ଡେରାବିଶ ବ୍ଲକ, ମାର୍ଶାଘାଇ, ଗରଦପୁର ବ୍ଲକ ଅନ୍ତର୍ଗତ କରାଣ୍ଡିଆ ନଦୀ କୂଳବର୍ତ୍ତୀ ଗ୍ରାମ ହୁଡାସାହି, ଜଳପୋକ, ପୁରୋସ୍ତମପୁର, ବାଲିସାହି, ନାନକାର, କରିଲୋପାଟଣା ଓ ସଲାର ଜଳପୋକ ଆଦି ଶତାଧିକ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଲୁଣା କରାଣ୍ଡିଆ ନଦୀର ମୁହାଣ ବାଲି ପଡି ସମ୍ପୂର୍ଣ୍ଣ ପୋତି ହୋଇଯାଇଥିବାରୁ କରାଣ୍ଡିଆ ନଦୀକୁ ପାଣି ଆସୁନଥିବାରୁ ଜଳସ୍ତର ଅତ୍ୟନ୍ତ କମିଯାଉଛି । ଏବଂ ଆଖପାଖ ଅଂଚଳରେ ଜଳ ସଂକଟ ଦେଖାଦେଇଛି । ବିଶେଷ କରି ଗ୍ରୀଷ୍ମଋତୁରେ ଚାଷୀମାନେ ତାଙ୍କ ଚାଷଜମିକୁ ଜଳସେଚନ କରିବାରେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୂତଳ ଜଳସ୍ତର ହ୍ରାସ ପାଇଥିବାରୁ ଅନେକ ନଳକୂପ ମଧ୍ୟ ଅଚଳ ହୋଇପଡିଛି । ଏହାଦ୍ୱାରା କୃଷି, ପାନିୟ ଜଳ ଏବଂ ସାଧାରଣ ଜନ ଜୀବନ ଗୁରୁତର ଭାବେ ପ୍ରଭାବିତ ହେଉଛି । ଏଣୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରି କରାଣ୍ଡିଆ ନଦୀ ମୁହାଣକୁ ତୁରନ୍ତ ଖନନ କରିବା ପାଇଁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ରଘୁନାଥ ବସନ୍ତିଆ, କୈଳାସ ବିହାରୀ ମନ୍ତ୍ରୀ, ଅଜିତ୍ ସାହୁ, ଖଗେଶ୍ୱର ସାମଲ, ସୁବ୍ରତ କୁମାର ପରିଡା, ଭରତ ଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ