ସାନକେଲୋରେ ଜଳ ପ୍ରବାହ କମିବାରୁ ପ୍ରଭାବିତ ସୀମାନ୍ତ ଗ୍ରାମ, ଉଠିଲା ପ୍ରଶ୍ନ
Mahanadi banchao committee
Mahanadi river committee


ଝାରସୁଗୁଡା, ୮ ଜୁନ୍ (ହି.ସ.)- ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଟ୍ରିବ୍ୟୁନାଲରେ ଶୁଣାଣି ଚାଲିଥିବା ବେଳେ ସୀମାନ୍ତ ଅଞ୍ଚଳରେ ଜଳ ସଙ୍କଟ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ମହାନଦୀର ପ୍ରମୁଖ ଉପନଦୀ ସାନକେଲୋ ନଦୀର ଜଳ ପ୍ରବାହକୁ ଅବରୋଧ କରି ଛତିଶଗଡ଼ର ବେଲେରିଆ ଅଞ୍ଚଳରେ ବ୍ୟାରେଜ ନିର୍ମାଣ କରାଯାଇଥିବା ଅଭିଯୋଗ କରିଛି ‘ମହାନଦୀ ବଞ୍ଚାଅ, ଜୀବିକା ବଞ୍ଚାଅ’ ଅଭିଯାନ।

ଏହି ପ୍ରସଙ୍ଗରେ ଅଭିଯାନର ଏକ ପ୍ରତିନିଧି ଦଳ ସୋମବାର ବେଲେରିଆ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଏବଂ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଯାଇଥିବା ଏହି ଦଳରେ ଅଭିଯାନର ଆବାହକ ଅନନ୍ତ, ବାସୁଦେବ ସାହୁ, ସୁରେନ୍ଦ୍ର ବଗାର, ଦୟସାଗର ବଢ଼େଇ, ଫଗୁନ୍ଦ୍ର ପ୍ରଧାନ, ଉମାକାନ୍ତ ନାଏକ, କୈଳାଶ ପିଙ୍ଗ, ରସାନନ୍ଦ କିଷାନ, କ୍ଷୀରୋଦ କିଷାନ, ସୁରେନ୍ଦ୍ର ରୋହିଦାସ ଓ ତେଜରାଜ ନାଏକ ପ୍ରଭୃତି ସାମିଲ ଥିଲେ। ସୋମବାର ସକାଳେ ଝାରସୁଗୁଡାର ଗାନ୍ଧିଛକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏହି ଯାତ୍ରା ଆରମ୍ଭ ହୋଇଥିଲା। ବେଲେରିଆ ଠାରେ ଅଭିଯାନର ଛତିଶଗଡ଼ ପ୍ରତିନିଧି ରଘୁବୀର ପ୍ରଧାନ, ଇନ୍ଦ୍ର ବିଳାସ ପଣ୍ଡା, ଟିକରାମ ପ୍ରଧାନ ଓ ଶେଷଚରଣ ଗୁପ୍ତା ପ୍ରତିନିଧି ଦଳ ସହ ଯୋଗ ଦେଇଥିଲେ। ବିଭିନ୍ନ କର୍ମକର୍ତ୍ତା ଓ ସଦସ୍ୟମାନେ ସାମିଲ ହୋଇଥିଲେ।

ପ୍ରତିନିଧି ଦଳର ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସାନକେଲୋ ନଦୀକୁ ସଂଯୋଗ କରୁଥିବା କୁରନାଳା ଉପରେ ବେଲେରିଆ ବ୍ୟାରେଜ ନିର୍ମାଣ ହୋଇଥିବାବେଳେ ଏହାର ପ୍ରାୟ ୪ କିଲୋମିଟର ଉପରମୁଣ୍ଡରେ କୁଡୁର ନାଳା ଉପରେ ଆଉ ଏକ ବ୍ୟାରେଜ ନିର୍ମାଣ କରାଯାଇଛି। ଏହା ଫଳରେ ନଦୀର ତଳମୁଣ୍ଡରେ ଜଳ ପ୍ରବାହ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଦଳ ପକ୍ଷରୁ ଦାବି କରାଯାଇଛି। ଅଭିଯୋଗ ଅନୁସାରେ, ଜଳ ପ୍ରବାହ କମିଯିବାରୁ ଲଖନପୁର ବ୍ଲକର ଅତାବିରା ଓ ଭିଖମପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅନେକ ଗ୍ରାମରେ ଜଳାଭାବ ଦେଖାଦେଇଛି। ବାଉଁଶେନପାଲି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ସମୟରେ ଜଣାପଡ଼ିଥିଲା ଯେ ସାନକେଲୋ ନଦୀ ଉପରେ ନିର୍ଭର କରୁଥିବା ପ୍ରାୟ ୧୨ଟି ଉଠାଜଳସେଚନ ପ୍ରକଳ୍ପ ବନ୍ଦ ହୋଇଯାଇଛି। ଏଥିଯୋଗୁଁ ଚଳିତ ଗ୍ରୀଷ୍ମ ଋତୁରେ ଚାଷୀ ଓ ସାଧାରଣ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଭିଯାନ ପକ୍ଷରୁ ଆହୁରି ଦାବି କରାଯାଇଛି ଯେ, ପୂର୍ବରୁ ବଡକେଲୋ ଓ ଇବ ନଦୀ ଉପରେ ନିର୍ମିତ ବନ୍ଧଗୁଡ଼ିକ ଯୋଗୁଁ ମଧ୍ୟ ନିମ୍ନ ଅବବାହିକା ଅଞ୍ଚଳରେ ଜଳ ପ୍ରବାହ ପ୍ରଭାବିତ ହୋଇଛି। ସାନକେଲୋ ନଦୀ ହୀରାକୁଦ ଜଳଭଣ୍ଡାରରେ ମିଶୁଥିବାରୁ ଏହାର ଜଳ ପ୍ରବାହ ଅବରୋଧ ହୀରାକୁଦ ପାଇଁ ଚିନ୍ତାର ବିଷୟ ବୋଲି ମତ ପ୍ରକାଶ ପାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଏ ପ୍ରସଙ୍ଗରେ ଗଭୀର ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ, ମହାନଦୀକୁ ଜଳ ପ୍ରବାହ ସୁନିଶ୍ଚିତ ନହେଲେ ଆଗାମୀ ଦିନରେ ଓଡ଼ିଶାର ବ୍ୟାପକ ଅଞ୍ଚଳ ଜଳ ସଙ୍କଟର ସମ୍ମୁଖୀନ ହୋଇପାରେ। ଟ୍ରିବ୍ୟୁନାଲରେ ଚାଲିଥିବା ଶୁଣାଣି ସମୟରେ ପ୍ରକୃତ ସ୍ଥିତିକୁ ଗୁରୁତ୍ୱ ଦେବା ସହ ମହାନଦୀର ସୁରକ୍ଷା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଅଭିଯାନ ପକ୍ଷରୁ କୁହାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ଓ ବଢ଼ୁଥିବା ଜଳ ଚାହିଦାକୁ ଦୃଷ୍ଟିରେ ରଖି ନଦୀର ପ୍ରାକୃତିକ ପ୍ରବାହ ରକ୍ଷା କରିବା ଆବଶ୍ୟକ। ଏଥିପାଇଁ ମହାନଦୀ ଏବଂ ଏହାର ଉପନଦୀଗୁଡ଼ିକର ସୁରକ୍ଷା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande