
କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର କୃଷି ସମବାୟ ସମିତିରେ ମୁଗମଣ୍ଡି ଉଦ୍ଘାଟିତ ହୋଇଯାଇଛି । ମଣ୍ଡିକୁ ଆନୁଷ୍ଠାନିକ ଭାବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳକ ତାପସ ପ୍ରସାଦ ସିଂ ଓ ସମବାୟ ସମିତିର ସଭାପତି ପ୍ରଦ୍ୟୁମ୍ନ ଜେନା ଉଦ୍ଘାଟନ କରିଥିଲେ । ସରକାର ମୁଗ, ବିରି, ସୂର୍ଯ୍ୟମୁଖୀ, ଚିନାବାଦାମ ଓ ସୋରିଷ ଚାଷୀଙ୍କ ଠାରୁ କ୍ରୟ କରିବା ପାଇଁ ଏହି ମଣ୍ଡିର ଉଦ୍ଘାଟନ କରାଯାଇଛି । ମୁଗ ୮ହଜାର ୭୬୮ ଟଙ୍କା କ୍ୱିଂଟାଲ୍, ବିରି ୭ ହଜାର ୮ଶହ କ୍ୱିଣ୍ଟାଲ, ଚିନାବାଦାନ ୭ ହଜାର ୨୬୩ ଟଙ୍କା କ୍ୱିଣ୍ଟାଲ୍, ସୂର୍ଯ୍ୟମୁଖୀ ୭ ହଜାର ୭୨୧ ଟଙ୍କା, ସୋରିଷ ୬ ହଜାର ୨ ଶହ ଟଙ୍କା ସହାୟକ ମୂଲ୍ୟ ପ୍ରତି କ୍ୱିଂଟାଲ୍ ପିଛାରେ କିଣିବା ପାଇଁ ସ୍ଥିର କରାଯାଇଛି । ୨୦୨୫-୨୬ ରବି ଫସଲ ନିମନ୍ତେ ଏହି ମୁଗ ମଣ୍ଡିକୁ ଆସୁଥିବା ଚାଷୀମାନଙ୍କୁ ଗୁରୁତ୍ୱ ଦେବା ସହ ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ସ୍ଥିର କରାଯାଇଛି । ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ସମବାୟ ସମିତିର ସଂପାଦକ ପ୍ରେମାଞ୍ଜନ ସାହୁ, ଉପସଭାପତି କନକଲତା ସ୍ୱାଇଁ, ନିର୍ଦ୍ଦେଶକ ପ୍ରମୋଦ କୁମାର ରାଉତ ରାୟ, ଶରତ ଦାସ, ପ୍ରଫୁଲ୍ଲ ରାଉତ, କୈଳାସ ବେହେରା, ପ୍ରଶାନ୍ତ ବେହେରା, ପଦ୍ମନାଭ ରାଉତ, ବଂଶୀଧର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି