
ସୁବର୍ଣପୁର, ୦୮ ଜୁନ୍ (ହି.ସ.) - ପବିତ୍ର ପାତାଳୀ ଶ୍ରୀକ୍ଷେତ୍ର , କୋଟସମଲାଇ ଠାରେ ଆଜି ଉଲୁଣ୍ଡା ବ୍ଲକ୍ ବ୍ରାହ୍ମଣ ସମାଜ ପରିଚାଳନା କମିଟି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କ୍ଷେତ୍ର ସ୍ଥିତ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବୈଠକ ରେ ସ୍ଥିରୀକୃତ ସମସ୍ତ କାର୍ଯ୍ୟକାରିଣୀ ସଭ୍ୟ ମାନେ ପ୍ରଥମେ ଶ୍ରୀଜିଉ ମାନଙ୍କୁ ପୂଜାର୍ଚ୍ଚନା କରିଥିଲେ। ବିଷ୍ଣୁ ସହସ୍ରନାମ ପାଠ ସହ ବ୍ରାହ୍ମଣ ସମାଜ ଓ ବିଶ୍ୱ କଲ୍ୟାଣ ନିମିତ ଚତୁର୍ଦ୍ଧାମୂର୍ତିଙ୍କ ଦିବ୍ୟ ଆଳତୀ ଅନୁଷ୍ଠିତ ହୋଇଥିଲା। ଏହାପରେ କୋଟସମଲାଇ ଗ୍ରାମର ବ୍ରାହ୍ମଣମାନେ କାର୍ଯ୍ୟକାରିଣୀ ସଭ୍ୟ ମାନଙ୍କୁ ସଗନ୍ଧ ପୁଷ୍ପ ପାଦଧୋଇ ସ୍ୱାଗତ କରିଥିଲେ। ଅନୁଷ୍ଠିତ ସଭା ର ସଭାପତିତ୍ୱ କରିଥିଲେ କାର୍ଯ୍ୟକାରିଣୀ ସଭା ର ସଭାପତି ପ୍ରଶାନ୍ତ ଶତପଥୀ। ପୂର୍ବତନ ବିଧାୟକ ରବିନାରାୟଣ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ପଦ୍ମଲୋଚନ ମିଶ୍ର, ଉପସଭାପତି ଧ୍ରୁବ ଚରଣ ପାଣିଗ୍ରାହୀ, ସମ୍ପାଦକ ଲକ୍ଷ୍ମଣ ପାଣ୍ଡିଆ ଆଦି ମଂଚାସୀନ ଥିଲେ। ସଭାପତି ଶ୍ରୀ ଶତପଥୀ ଜାତି ଉନ୍ନତି ସହିତ ସମାଜ ଓ ବିଶ୍ୱ କଲ୍ୟାଣ ପାଇଁ ଧର୍ମ, ଗ୍ରାମ, ଦେବତା, ଯଜ୍ଞ, ଅଧ୍ୟୟନ, ଅଧ୍ୟାପନ ର ଉନ୍ନତି ସକାଶେ ଆଜି ର ବୈଠକ ରେ ଆଲୋଚନା କରିବା ବୋଲି କହିଥିଲେ। ସମଗ୍ର ଉଲୁଣ୍ଡା ବ୍ଲକ୍ ରେ ପ୍ରତି ପଂଚାୟତ ରେ ୯୬ ଗାଁ ରେ ଆଗକୁ ସଂଗଠନ କରିବାପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଥିଲା। ପ୍ରତ୍ୟେକ ପଂଚାୟତ ରେ ସଂଯୋଜକ,ସହ ସଂଯୋଜକଙ୍କୁ ମାନୋନୀତ କରିବା କାର୍ଯ୍ୟ ଶୀଘ୍ର ସମ୍ପାଦିତ ହେବ ତା ଉପରେ ମତ ପ୍ରକାଶ କରାଯାଇଥିଲା। ସର୍ବସମ୍ମତି କ୍ରମେ ସମାଜ ର ଆଇନ୍ ପରାମର୍ଶଦାତା ଭାବେ ରବିନାରାୟଣ ପାଣିଗ୍ରାହୀ ଓ ବଳଦେବ ବେଦବାକଙ୍କୁ ମନୋନୀତ କରାଯାଇଥିଲା।ସହ ସମ୍ପାଦକ ଭାବେ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କୁ କାର୍ଯ୍ୟକାରିଣୀ ସଭା ରେ ମନୋନୀତି କରାଯାଇଥିଲା। ସଂଗଠନ ସମ୍ପାଦକ ଭାବେ ମହେଶ ରଞ୍ଜନ ପୁରୋହିତ ଓ ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କୁ ମନୋନୀତ କରାଯାଇଥିଲା। ପୂର୍ବ ସଭାରୁ ମନୋନୀତ ୨୭ ଜଣ ଓ ସର୍ବୋପରି ସମସ୍ତ ବ୍ରାହ୍ମଣ ସମାଜ ର ଉନ୍ନତି ପାଇଁ ନିଜ ଦାୟିତ୍ୱ ସୂଚାରୁରୂପେ ଓ ଦାୟିତ୍ୱବାନ ଭାବେ ତୁଲେଇବେ ବୋଲି ସମସ୍ତେ ଶ୍ରୀ ଜଗନ୍ନାଥଙ୍କ ନାମରେ ସଂକଳ୍ପ ନେଇଥିଲେ। ସଭା ରେ ଶ୍ରୀ ପାଣିଗ୍ରାହୀ ବ୍ରାହ୍ମଣ ସମାଜ ର ଏକତା ପାଇଁ ସଂକଳ୍ପବଦ୍ଧ ହୋଇ ନିଜ ପୂର୍ବପୁରୁଷ ଙ୍କ ଉତମ ଉତରାଧିକାରୀ ହୋଇ ଆଗାମୀ ପିଢ଼ି ପାଇଁ ଉତମ ମାର୍ଗ ପ୍ରସ୍ତୁତ କରିବାପାଇଁ ଆହ୍ୱାନ କରିଥିଲେ। ଶୃଙ୍ଖଳା ହିଁ ବ୍ରାହ୍ମଣ ସମାଜ ସଙ୍ଗଠନ ର ପରିଚୟ ହେଉ ବୋଲି ସେ କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ