
ଝାରସୁଗୁଡ଼ା, ୮ ଜୁନ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ମୁନିସିପାଲିଟି ଅଧୀନ ୧୪ ଓ ୧୫ ନମ୍ବର ୱାର୍ଡର ମହୁଲପଡ଼ା-ମୁଚବାହାଲ ଅଞ୍ଚଳର ବାସିନ୍ଦାମାନଙ୍କୁ ଏପର୍ଯ୍ୟନ୍ତ ବସ୍ତିବାସିନ୍ଦା ପଟ୍ଟା ପ୍ରଦାନ କରାଯାଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପଟ୍ଟା ପ୍ରଦାନ କ୍ଷେତ୍ରରେ ବେଲପାହାଡ଼ ପୌର କର୍ତ୍ତୃପକ୍ଷ ଭେଦଭାବ କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ମହୁଲପଡ଼ା-ମୁଚବାହାଲ ଅଞ୍ଚଳର ଅନେକ ପରିବାର ପ୍ରାୟ ୫୦ ବର୍ଷ ଧରି ସେଠାରେ ବସବାସ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ବସ୍ତିବାସିନ୍ଦା ପଟ୍ଟା ମିଳିନାହିଁ। ଯୋଗ୍ୟତା ପୂରଣ କରିବା ସହ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ଦୀର୍ଘଦିନର ଦାବିକୁ ଅଣଦେଖା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, ସହରର କେତେକ ୱାର୍ଡରେ ମାତ୍ର ୨ରୁ ୩ ବର୍ଷ ଧରି ରହୁଥିବା ଅଣଓଡ଼ିଆ ବ୍ୟକ୍ତିମାନଙ୍କୁ ସହଜରେ ବସ୍ତିବାସିନ୍ଦା ପଟ୍ଟା ପ୍ରଦାନ କରାଯାଉଥିବା ଅଭିଯୋଗ ମଧ୍ୟ ଉଠିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ବଢ଼ି ଚାଲିଛି। ଅସନ୍ତୁଷ୍ଟ ବାସିନ୍ଦାମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ରହିବାର ଅବଧି ଓ ଆବଶ୍ୟକ ଦଲିଲପତ୍ରର ସଠିକ୍ ଯାଞ୍ଚ କରି ପ୍ରକୃତ ସ୍ଥାୟୀ ବାସିନ୍ଦାମାନଙ୍କୁ କୌଣସି ପ୍ରକାର ଭେଦଭାବ ବିନା ପଟ୍ଟା ପ୍ରଦାନ କରାଯିବାକୁ ସେମାନେ ଦାବି ଜଣାଇଛନ୍ତି।
ସମସ୍ୟାର ଶୀଘ୍ର ସମାଧାନ ନ ହେଲେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନର ପଥ ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ମହୁଲପଡ଼ା-ମୁଚବାହାଲ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ