
ବଲାଙ୍ଗିର ୮ ଜୁନ ( ହି.ସ.) - ଏସସି-ଏସଟି ମିଳିତ ମଂଚ ଆଇନ ଅମାନ୍ୟ ଆନ୍ଦୋଳନ ଲାଗି ଚେତାବନୀ ଦେଇଛି। ବଲାଙ୍ଗିର ଜିଲ୍ଳା କଂଟାବାଞ୍ଜି ପୂର୍ତି ବିଭାଗ ଡାକବଙ୍ଗଳା ଠାରେ ଏସସି-ଏସଟି ମିଳିତ ମଂଚ କଂଟାବାଞ୍ଜି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଚେତାବନୀ ଦିଆଯାଇଛି। ଏଥିରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବଲାଙ୍ଗିର ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝୀ ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଗୋବିନ୍ଦ ତାଣ୍ଡି ବଲାଙ୍ଗିର ଜିଲ୍ଳା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ ଉପସ୍ଥିତ ଥିଲେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମୁଦାୟ ଙ୍କ ସାମ୍ବିଧାନିକ ଅଧିକାର, ଶିକ୍ଷା, ଜୀବିକା,ଜମି ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରସଙ୍ଗ ରେ କମିଟି ପକ୍ଷରୁ ୧୦ ଦଫା ଦାବି ଉପସ୍ଥାପନ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀ ରେ କମିଟି ପକ୍ଷରୁ କୁହାଯାଇଛି ଯେ ଭାରତୀୟ ସମ୍ବିଧାନ ର ଅନୁଛେଦ ୧୪.୧୫(୪).୧୬(୪).୨୧.୪୬.ପଂଚମ ସୂଚୀ. ଏସସି/ଏସଟି ଅତ୍ୟାଚାର ନିବାରଣ ଆଇନ.ପେସା ଆଇନ ଓ ଜଙ୍ଗଲ ଅଧିକାର ଆଇନ୍ ଅନୁସାରେ ଏହି ସମୁଦାୟଙ୍କ ସୁରକ୍ଷା ଓ ଉନ୍ନତି ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ କିନ୍ତୁ ବିଭିନ୍ନ କ୍ଷେତ୍ରରେ ଏସସି/ଏସଟି ସମୁଦାୟ ଙ୍କ ଅଧିକାର ପ୍ରଭାବିତ ହେଉଥିବା ରୁ ଏହି ଦାବିଗୁଡିକ ଉଠାଯାଇଛି। କମିଟି ପକ୍ଷରୁ ଅନ୍ୱେଷା ଯୋଜନା କୁ ପୁନଃ ଚାଲୁ କରିବା ଜିଏନ୍ଏମ୍ ଓ ବିଏସସି ନର୍ସିଂ ଛାତ୍ର ଛାତ୍ରୀ ଙ୍କ ପାଇଁ ବାର୍ଷିକ ୫୦ ହଜାର ଟଙ୍କା ଛାତ୍ର ବୃତ୍ତି ଜାରି ରଖିବା ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁଁ ଛାତ୍ର ବୃତି ପୁନଃ କାର୍ଯ୍ୟକାରୀ ରହିବା, ଏସସି/ଏସଟି ଅତ୍ୟାଚାର ନିବାରଣ ଆଇନ ର କଡାକଡି କାର୍ଯ୍ୟାନ୍ୱୟନ ଏବଂ ପେସା ଆଇନ କୁ ସମ୍ପୁର୍ଣ୍ଣ ଭାବେ ଲାଗୁ କରିବା ଦାବି କରାଯାଇଛି। ସେହିପରି ପଂଚାୟତରାଜ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ପୁନଃ ବହାଲ,ଏସସି/ଏସଟି ଜମିର ବେଆଇନ ହସ୍ତାନ୍ତର ରୋକିବା ଜମିହୀନ ପରିବାର ଙ୍କ ଘର ଭଙ୍ଗା ବନ୍ଦ କରିବା ଗ୍ରାମସଭାର ଅନୁମୋଦନ ବିନା ଖଣି ଓ ଶିଳ୍ପ ପ୍ରକଳ୍ପ କୁ ଅନୁମତି ନ ଦେବା ଏବଂ ଯୋଗ୍ୟ ଆଦିବାସୀ ଓ ବନବାସୀ ପରିବାର ଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରିବା ପାଇଁଁ ସରକାର ଙ୍କୁ ଦାବି କରାଯାଇଛି। କମିଟି କହିଛି ଯେ ଏହି ସମସ୍ତ ଦାବୀ କେବଳ ଏକ ସମୁଦାୟ ର ସ୍ୱାର୍ଥ ସହ ଜଡ଼ିତ ନୁହେଁ, ବରଂ ସାମାଜିକ ନ୍ୟାୟ ସମାନତା ଓ ସମ୍ବିଧାନର ମୂଳ ଆଦର୍ଶ ସହ ଜଡ଼ିତ। ଗଣମାଧ୍ୟମ ଏହି ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଗୁଡ଼ିକୁ ସରକାର ଓ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବେ ବୋଲି ମିଲିତ ମଂଚ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ମନୋରଞ୍ଜନ ଭୋଇ, ଭୁବନେଶ୍ୱର କୁଅଁର,ରସିକ ଧରୁଆ,ଚୈବନ କିଶୋର ମାଝି, ରାମଚନ୍ଦ୍ର ଶବର, ଖେଳନ୍ତି ସମର୍ଥ, ନରୋତମ ମାଝି, ଗୋବିନ୍ଦ ବର୍ଗେ, ଦୈତାରି ଭୋଇ, ଗିରି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ