ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରୁଛନ୍ତି ଷଡଯନ୍ତ୍ରକାରୀ : ବିଜେପି
ଭୁବନେଶ୍ୱର, ୧୫ ଜୁଲାଇ (ହି.ସ)- ଏନ୍ଇପି-୨୦୨୦ ଆଧାରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ନୂତନ ପୁସ୍ତକ ପ୍ରଚଳନ କରାଗଲା । ପାଠ୍ୟ ପୁସ୍ତକରେ ତୃଟି ପରିଲକ୍ଷିତ ହେଲା । ପାଠ୍ୟ ପୁସ୍ତକରେ ଥିବା ତଥାକଥିତ ତୃଟିରେ ବିରାଟ ଷଡଯନ୍ତ୍ର ଥିବାର ସନ୍ଦେହ ପ୍ରକାଶ ପାଇଥିଲା ଏବଂ ମୁଖ୍ୟମନ୍ତ୍ରୀ, ଉ
bjp


ଭୁବନେଶ୍ୱର, ୧୫ ଜୁଲାଇ (ହି.ସ)- ଏନ୍ଇପି-୨୦୨୦ ଆଧାରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ନୂତନ ପୁସ୍ତକ ପ୍ରଚଳନ କରାଗଲା । ପାଠ୍ୟ ପୁସ୍ତକରେ ତୃଟି ପରିଲକ୍ଷିତ ହେଲା । ପାଠ୍ୟ ପୁସ୍ତକରେ ଥିବା ତଥାକଥିତ ତୃଟିରେ ବିରାଟ ଷଡଯନ୍ତ୍ର ଥିବାର ସନ୍ଦେହ ପ୍ରକାଶ ପାଇଥିଲା ଏବଂ ମୁଖ୍ୟମନ୍ତ୍ରୀ, ଉନ୍ନୟନ କମିଶନଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରି ତୃଟି ବିଚ୍ୟୁତିର କାରଣ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଲେ । କମିଟିର ରିପୋର୍ଟ ଆଧାରରେ ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଗଲା । ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିଲେ । କ୍ରାଇମବ୍ରାଂଚ ଏହି ବିଷୟକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଦେଇଛି । ତଦନ୍ତର ପ୍ରଥମ ପର୍ଯ୍ୟାୟରେ ତତ୍କାଳୀନ ଏସସିଇଆରଟିର ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢୀଙ୍କୁ ଗିରଫ କରି ଜେଲ ପଠାଯାଇଛି । ଷଡଯନ୍ତ୍ରକାରୀ ଯିଏ ବି ହୁଅନ୍ତୁ ନା କାହିଁକି, ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ସମସ୍ତଙ୍କ ଉପରେ ନିଶ୍ଚିତ ଭାବରେ ଦୃଢ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେ କହିଛନ୍ତି କିଛି ଷଡଯନ୍ତ୍ରକାରୀ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ‘ସୁପାରୀ ଜର୍ଣ୍ଣାଲିଜମ’ କରି ସମଗ୍ର ଜର୍ଣ୍ଣାଲିଜମ ବ୍ୟବସ୍ଥାକୁ ବଦନାମ କରୁଥିବା କିଛି ନିର୍ଦ୍ଦିଷ୍ଟ ସାମ୍ବାଦିକ ଏହି ଷଡଯନ୍ତ୍ରରେ ଅଂଶବିଶେଷ ସାଜିଛନ୍ତି । ଗତ କାଲି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଭିଡିଓ ଓ ଅଡିଓ କ୍ଲିପରେ ବିରୋଧୀ ଦଳର ଷଡଯନ୍ତ୍ର ସ୍ପଷ୍ଟ ହୋଇଛି । ଏ ସମସ୍ତ ଘଟଣାକୁ ଚାପି ଦେବା ପାଇଁ ତାଙ୍କ ଚ୍ୟାନେଲର ଉମରକୋଟ ସାମ୍ବାଦିକଙ୍କ ଜରିଆରେ ବାର୍ତାଳପ ସମୟରେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପାଂଚ ଲକ୍ଷ ଟଙ୍କା ଯାଚୁଥିବାର ତଥାକଥିତ ଗଣମାଧ୍ୟମର ସଂପାଦକ ଶ୍ରୀ ସୁଧାଂଶୁ ରାଉତ ସିଧାସଳଖ ଅଭିଯୋଗ କରିଥିଲେ । ପରବର୍ତୀ ଘଟଣାକ୍ରମରେ ଉମରକୋଟର ସେହି ସାମ୍ବାଦିକଜଣକ ଫେସବୁକ୍ ଲାଇଭ୍ ରେ ଆସି ସୁଧାଂଶୁ ରାଉତଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରି ମିଥ୍ୟା ଓ ଅମୂଳକ ବୋଲି କହିଲେ । ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ହେଉଥିବା ଷଡଯନ୍ତ୍ରଟି ସେହି ଅଡିଓରୁ ସ୍ପଷ୍ଟ ହୋଇଛି । ଓଡିଶାରେ ଦୀର୍ଘ ସମୟ ଧରି ବିଜୁ ଜନତା ଦଳ ଶାସନ କ୍ଷମତାରେ ଥାଇ ସାଧାରଣ ଜନତାଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେବା ପରେ ବର୍ତମାନ ଅତ୍ୟନ୍ତ ନିମ୍ନ ସ୍ତରକୁ ଖସିଯାଇ ଗଣମାଧ୍ୟମକୁ ଅପବ୍ୟବହାର କରିବାକୁ ମଧ୍ୟ ପଶ୍ଚାଦପଦ ହେଉନାହିଁ ।

ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ରମେଶ ଚନ୍ଦ୍ର ସାହୁ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande