
ଭୁବନେଶ୍ୱର, 15 ଜୁଲାଇ (ହି.ସ.) - ରଥଯାତ୍ରା ଅବ୍ୟବହିତ ପୂର୍ବରୁ ଜନ ସାଧାରଣଙ୍କ ନିମନ୍ତେ 30 ଗୋଟି ଦେୟମୁକ୍ତ ଲୁ ବା ପରିଶ୍ରାଗାର ଲୋକାର୍ପଣ କଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) । ରଥଯାତ୍ରା ସମୟରେ ଜନ ସାଧାରଣ ଯେପରି ଖୋଲା ସ୍ଥାନରେ ମଳମୁତ୍ର ତ୍ୟାଗ ନ କରନ୍ତି, ସେଥିପାଇଁ ବିଏମ୍ ସି ପକ୍ଷରୁ ଏହି ସ୍ଥାୟୀ ପଦକ୍ଷେପ ନିଆଯାଇଛି । ଆଜି ଏହି ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି ଯେ, ପରିବେଶ ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ ବିଏମ୍ ସି ସଦାସର୍ବଦା ପ୍ରୟାସ ଜାରି ରଖିଛି ।
ବିଏମ୍ ସି ସମଗ୍ର ସହରର 3ଗୋଟି ଜୋନରେ ମୋଟ 201ଟି ‘ଲୁ’ ନିର୍ମାଣ କରିବା ପାଇଁ ଯୋଜନା କରିଛି । ସେଥିମଧ୍ୟରୁ 143ଟି ପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ସଂପ୍ରତି 113ଟିର କାର୍ଯ୍ୟ ଜାରି ରହିଛି । ନିର୍ମାଣ ହୋଇସାରିଥିବା ଶୌଚାଳୟଗୁଡିକ ମଧ୍ୟରୁ 111ଟି ହେଉଛି ସାମୂହିକ ଶୌଚାଳୟ, 56ଗୋଟି ଗୋଷ୍ଠୀ ଶୌଚାଳୟ, 18ଟି ଇ-ଶୌଚାଳୟ ରହିଛି । ପୂର୍ବରୁ ରହିଥିବା ପୁରୁଣା ଶୌଚାଳୟ ମଧ୍ୟରୁ 9ଗୋଟି ଶୌଚାଳୟର ନବୀକରଣ କରାଯାଇଛି ଏବଂ ଆହୁରି 4ଗୋଟି ଶୌଚାଳୟର ନବୀକରଣ କାର୍ଯ୍ୟ ଜାରି ରହିଛି । ରଥଯାତ୍ରା ଆରମ୍ଭ ହୋଇଯାଉଥିବାରୁ ‘ଲୁ’ ସହିତ ଶୌଚାଳୟଗୁଡିକୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନହୁଅନ୍ତି ଏବଂ ବାହାରେ ମଳମୂତ୍ର ତ୍ୟାଗ ନକରନ୍ତି, ସେଥିପାଇଁ ଆଜି ଆହୁରି ନୂତନ ଭାବେ ନିର୍ମାଣ କରାଯାଇଥିବା 30 ଗୋଟି ଦେୟମୁକ୍ତ ‘ଲୁ’କୁ ଲୋକାର୍ପିତ କରାଯାଇଛି ବୋଲି କହିଛନ୍ତି ମେୟର ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସହରର ପ୍ରମୁଖ ସ୍ଥାନରେ ଥିବା କେତେକ ଶୌଚାଳୟକୁ ଦେୟଯୁକ୍ତ କରାଯାଇଛି । ଚିହ୍ନିତ ଶୌଚାଳୟ ବ୍ୟବହାରକାରୀଙ୍କଠାରୁ ମାତ୍ର 5 ଟଙ୍କା ଲେଖାଏଁ ଆଦାୟ କରିବା ପାଇଁ ବିଏମ୍ ସି କର୍ପୋରେସନ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମାତ୍ର ବିଭିନ୍ନ ବସ୍ତିରେ ଥିବା କମ୍ୟୁନିଟ୍ ଶୌଚାଳୟ ଏବଂ କୌଣସି ଲୁକୁ ଦେୟଯୁକ୍ତ କରାଯାଇ ନାହିଁ ବୋଲି ସ୍ପଷ୍ଟ କରାଇଦେଇଛନ୍ତି ମେୟର । ଏହି ଲୁଗୁଡିକ ସକାଳ 6ଟାରୁ ରାତି 10 ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଅପରପକ୍ଷେ ‘ଲୁ’ଗୁଡିକର ସୁପରିଚାଳନା ପାଇଁ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସୁଲଭ ସିଷ୍ଟମକୁ ଦିଆଯାଇଛି । ଏ ବାବଦରେ ପ୍ରତି ଲୁ ପିଛା ମାସିକ 13, 500 ଟଙ୍କା ସଂପୃକ୍ତ ସଂସ୍ଥାକୁ ପ୍ରଦାନ କରାଯାଉଛି । କାରଣ ସେଠାରେ ଜଣେ ଲୋକଙ୍କୁ ନିୟୋଜିତ କରିବା, ଲୁଗୁଡିକୁ ଦିନକୁ ଦୁଇଥର ନିୟମିତ ସଫା କରିବା, ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆବଶ୍ୟକ ଉପକରଣ ବାବଦରେ ଏହି ଅର୍ଥ ପ୍ରଦାନ କରାଯାଉଛି । ଏ ବାବଦରେ ବିଏମ୍ ସିକୁ ବାର୍ଷିକ 48.60 ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି ସେ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, କର୍ପୋରେଟର ଶ୍ରୀ ଅମରେଶ ଜେନା, ଶ୍ରୀମତୀ ଭାରତୀ ସିଂ, ପରିମଳ ଉପାୟୁକ୍ତ ଶ୍ରୀ. ଏନ୍. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା