
କେନ୍ଦୁଝର, ୧୫ ଜୁଲାଇ (ହି.ସ.) - ରାମ ମନ୍ଦିର ନିର୍ମାଣ ପାଇଁ ଦେଶର କୋଟି କୋଟି ଶ୍ରଦ୍ଧାଳୁଙ୍କ ଦ୍ୱାରା ପ୍ରଦତ ଦାନ ଓ ଭେଟି ଅର୍ଥର ଅନିୟମିତତାକୁ ନେଇ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଶାସକ ବିଜେପି-ଆରଏସଏସ ମଡେଲ ଉପରେ ତୀବ୍ର ଆକ୍ରମଣ କରାଯାଇଛି। ଭଗବାନ ରାମଙ୍କ ନାମରେ ସଂଗ୍ରହ କରାଯାଇଥିବା ଅର୍ଥ ରାଜନୈତିକ ମୁନାଫାଖୋରୀର ଶିକାର ହୋଇଥିବା ନେଇ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି।
ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ଗରିବ ପରିବାର, ଚାଷୀ, ଶ୍ରମିକ ଓ ମହିଳାମାନେ ନିଜର କଷ୍ଟଅର୍ଜିତ ସଂଚୟ ଏବଂ ଅଳଙ୍କାର ରାମ ମନ୍ଦିର ପାଇଁ ଦାନ କରିଥିବା ବେଳେ, ଏହି ଆସ୍ଥା ଓ ବିଶ୍ୱାସ ପ୍ରତି ବଡ଼ ବିଶ୍ୱାସଘାତକତା କରାଯାଇଛି ବୋଲି ଦଳ ପ୍ରକାଶ କରିଛି।
ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତୃବୃନ୍ଦ କହିଛନ୍ତି ଯେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ତତ୍କାଳୀନ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ଗ୍ରହଣ କରାଯିବା ହିଁ ପ୍ରମାଣ କରୁଛି ଯେ ଏହି ମାମଲା କେବଳ ଏକ ପ୍ରଶାସନିକ ତ୍ରୁଟି ନୁହେଁ, ବରଂ ଏକ ବଡ଼ ଦୁର୍ନୀତିର ଆଡ଼କୁ ଇସାରା କରୁଛି। ଟ୍ରଷ୍ଟର ଅନ୍ୟତମ ବରିଷ୍ଠ ସଦସ୍ୟ ଗୋବିନ୍ଦ ଦେବ ଗିରି ଓ ଗୋପାଳ ରାଓଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବଂ ନୂତନ ସାଧାରଣ ସମ୍ପାଦକ କୃଷ୍ଣମୋହନଙ୍କ ନିଯୁକ୍ତିକୁ ନେଇ ଦଳ ପ୍ରଶ୍ନ ଉଠାଇଛି। ଦୁର୍ନୀତିକୁ ଲୁଚାଇବା ପାଇଁ କେବଳ କନିଷ୍ଠ ଓ ନିମ୍ନ ସ୍ତରର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ଶୀର୍ଷ ସ୍ତରର ଅଧିକାରୀଙ୍କୁ ସୁରକ୍ଷା ଦିଆଯାଉଛି ବୋଲି କଂଗ୍ରେସ କହିଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବର୍ତମାନ ଏହି ମାମଲାରେ ବଡ଼ ବଡ଼ କାର୍ଯ୍ୟକ୍ରମର ଖର୍ଚ୍ଚ ଉପରେ ନଜର ପକାଇଛି।୨୨ ଜାନୁଆରୀ ୨୦୪ ର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ପ୍ରାୟ ୧୧୩ କୋଟି ଟଙ୍କା ବ୍ୟୟ ହୋଇଥିଲା।୨୫ ନଭେମ୍ବର ର ପତାକା ଉତୋଳନ ଉତ୍ସବରେ ପ୍ରାୟ ୧୦.୧୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।
ଏହା ସହିତ ନକଲି ରସିଦ, ନଗଦ ଭେଟି ହେରଫେର ଏବଂ ଆକାଉଂଟିଂରେ ଅନିୟମିତତା ଭଳି ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି। କେବଳ ରାମ ମନ୍ଦିର ନୁହେଁ, ବଦ୍ରିନାଥ ଧାମ ଭଳି ଅନ୍ୟ ପବିତ୍ର ପୀଠରୁ ମଧ୍ୟ ଭେଟି ଲୁଟ୍ ହେଉଥିବା ନେଇ ଦଳ ଚିନ୍ତା ପ୍ରକଟ କରିଛି।
ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପିଏମଓ ର ସକ୍ରିୟ ଭୂମିକାରେ ଗଠିତ ଏହି ଟ୍ରଷ୍ଟର ଦୁର୍ନୀତି ପାଇଁ କିଏ ଦାୟୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ କାହିଁକି ନୀରବ ଅଛନ୍ତି? ଯଦି ସବୁକିଛି ସ୍ୱଚ୍ଛ ଥିଲା, ତେବେ ଇସ୍ତଫା ଦେବାର ଆବଶ୍ୟକତା କାହିଁକି ପଡ଼ିଲା? କଥିତ ଡବଲ୍ ଇଞ୍ଜିନ୍ ସରକାର କଣ ଦୋଷୀମାନଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ସର୍ବୋଚ୍ଚ ସ୍ତରର ବ୍ୟକ୍ତିମାନଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ। ଭଗବାନ ରାମ କୌଣସି ରାଜନୈତିକ ଦଳର ନୁହନ୍ତି, ସେ କୋଟି କୋଟି ଭାରତୀୟଙ୍କ ଆସ୍ଥାର ପ୍ରତୀକ। ତାଙ୍କ ନାମରେ ଦାନକୁ ଲୁଟ୍ କରିବା ଦେଶର ଧାର୍ମିକ ଚେତନା ପ୍ରତି ଏକ ଗୁରୁତର ଅପମାନ। ଦୋଷୀମାନଙ୍କୁ କୌଣସି ସୁରକ୍ଷା ନ ଦେଇ ତୁରନ୍ତ ନ୍ୟାୟର ପରିସରଭୁକ୍ତ କରାଯାଉ। ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ: ଟ୍ରଷ୍ଟ ଗଠନ ଓ ନିଯୁକ୍ତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭୂମିକା କଣ ଥିଲା, ତାହା ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ସ୍ପଷ୍ଟ କରନ୍ତୁ।ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଏହି ଆର୍ôଥକ ହେରଫେରରେ ସମ୍ପୃକ୍ତ ସମସ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ୠଓଜ ପଞ୍ଜିକୃତ କରାଯାଇ ସେମାନଙ୍କୁ ଗିରଫ କରାଯାଉ। ସମ୍ପୂର୍ଣ୍ଣ ଘଟଣାର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ) ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱାଧୀନ ନ୍ୟାୟିକ ତଦନ୍ତ କରାଯାଉ। ବର୍ତମାନର ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ତୁରନ୍ତ ଭଙ୍ଗ କରାଯାଇ ଧାର୍ମିକ ନେତା, ବିଶିଷ୍ଟ ନାଗରିକ ଏବଂ ପ୍ରଶାସନିକ ବିଶେଷଜ୍ଞମାନଙ୍କୁ ନେଇ ଏହାର ପୁନର୍ଗଠନ କରାଯାଉ। ରାମ ମନ୍ଦିର ସହ ଜଡ଼ିତ ସମସ୍ତ ଦାନ, ଜମି କାରବାର ଓ ବ୍ୟୟର ଏକ ସ୍ୱାଧୀନ ଫୋରେନ୍ସିକ ଅଡିଟ୍ କରାଯାଇ ଏହାର ରିପୋର୍ଟ ସାର୍ବଜନୀନ କରାଯାଉ। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ମୋହନ ଚରଣ ପରିଡା, ମୁଖପାତ୍ର ଦୀପକ କୁମାର ରାଜ ତାଙ୍କୁ ସହଯୋଗ କରିଥିଲେ ଲଳିତ ମୋହନ ନାୟକ, ଉତମ ସାହୁ, ସୁଢଳ କୁମାର ସେଠୀ, ରତ୍ନାକର ଜେନା, ପୂର୍ଣଚନ୍ଦ୍ର ଦାସ, ଦିନେଶ ରାଉତ, ପ୍ରଦୀପ ଦାସ ପ୍ରମୁଖ ଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA