

ମାଲକାନଗିରି , ୧୫ ଜୁଲାଇ (ହି.ସ.) - ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ମାନ ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ଏକ ଉଚ୍ଚସ୍ତରୀୟ ମିଳିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ମେଡିକାଲ ଅଫିସର ଏବଂ ସମଗ୍ର ଆଇସିଡିଏସ ବିଭାଗର ବରିଷ୍ଠ କର୍ମଚାରୀମାନେ ସାମିଲ ହୋଇଥିଲେ । ମାଲକାନଗିରି ଭଳି ଏକ ଜନଜାତି ବହୁଳ ଓ ଦୁର୍ଗମ ଅଂଚଳରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକୁ କିପରି ସୁରୁଖୁରୁରେ ଲୋକଙ୍କ ପାଖରେ ପହଂଚାଯାଇପାରିବ, ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ବୈଠକରେ ଜିଲ୍ଲାରେ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ବିଭିନ୍ନ ଯୋଜନା ଉପରେ ବିଶେଷ ସମୀକ୍ଷା କରାଯାଇଥିଲା । ସମସ୍ତ ଯୋଗ୍ୟ ହିତାଧିକାରୀ ଯେପରି ସମସ୍ତ ଯୋଜନାରୁ ବଂଚିତ ନ ହେବେ, ସେଥିପାଇଁ ପ୍ରତିଟି ବ୍ଲକ ଓ ଗ୍ରାମାଂଚଳରେ ମନିଟରିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତିୟ। ବୈଠକକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାର ପ୍ରତିଟି ସାଧାରଣ ନାଗରିକ, ବିଶେଷ କରି ଦୁର୍ଗମ ଅଂଚଳରେ ରହୁଥିବା ଗରିବ ଶ୍ରେଣୀର ଲୋକଙ୍କ ପାଖରେ ମାଗଣା ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବା ଆମର ମୁଖ୍ୟ ଲକ୍ଷ୍ୟ । ପ୍ରତ୍ୟେକ ଜନକଲ୍ୟାଣକାରୀ ସ୍ୱାସ୍ଥ୍ୟ ଯୋଜନାର ସଫଳ ରୂପାୟନ ପାଇଁ ସ୍ୱାସ୍ଥ୍ୟ ଓ ଆଇସିଡିଏସ ବିଭାଗ ମଧ୍ୟରେ ଉତମ ସମନ୍ୱୟ ରହିବା ନିହାତି ଜରୁରୀ ।
ଏହି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ମାଲକାନଗିରି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି, କାରଣ ଏହାଦ୍ୱାରା ବ୍ଲକ ମେଡିକାଲ ଅଫିସରମାନେ ଗ୍ରାମାଂଚଳର ସ୍ୱାସ୍ଥ୍ୟ ସମସ୍ୟାକୁ ସିଧାସଳଖ ପ୍ରଶାସନ ଆଗରେ ରଖିବାର ସୁଯୋଗ ପାଇଥିଲେ । ସେହିପରି ସ୍ୱାସ୍ଥ୍ୟ ବିଭାଗ ଏବଂ ଆଇସିଡିଏସ (ଅଙ୍ଗନୱାଡି ଓ ଆଶା କର୍ମୀ) ମଧ୍ୟରେ ଉତମ ସମନ୍ୱୟ ସୃଷ୍ଟି ହେବା ଫଳରେ ଜିଲ୍ଲାରେ ଶିଶୁ କୁପୋଷଣ ସମସ୍ୟାର ସ୍ଥାୟୀ ସମାଧାନ ହେବା ସହ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ଏହା ଏକ ବଡ଼ ମାଇଲଖୁଂଟ ସଦୃଶ ହେବ ବୋଲି ଆଶା କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ