
ମାଲକାନଗିରି , ୧୫ ଜୁଲାଇ (ହି.ସ.) - ଆଜି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବାଲିମେଳା ବିଜ୍ଞାପିତ ଅଂଚଳ ର ୧୦ଟି ଦୋକାନ ରେ ଚଢ଼ାଉ କରାଯାଇ ୧୨ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି! ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସେଠିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା ।ବାଲିମେଳା ସହରରେ ଥିବା ବିଭିନ୍ନ ଦୋକାନ, ହୋଟେଲ ମାନଙ୍କରେ ଚଢ଼ାଉ କରାଯାଇ ସେମାନଙ୍କର ଖାଦ୍ୟ ସୁରକ୍ଷା ପ୍ରମାଣପତ୍ର ଯାଂଚ କରିବା ସହିତ ବିକ୍ରୀ ହେଉଥିବା ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଗୁଡ଼ିକର ମାନ ପରଖି ଥିଲେ। ଯେଉଁ ଦୋକାନୀ ମାନେ ଖାଦ୍ୟ ସୁରକ୍ଷା ପ୍ରମାଣ ପତ୍ର ରଖିନାହାନ୍ତି ସେମାନଙ୍କୁ ଶୀଘ୍ର ଖାଦ୍ୟ ସୁରକ୍ଷା ପ୍ରମାଣ ପତ୍ର କରିବା ନିମନ୍ତେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ସେଠି ଦୋକାନୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଚଢ଼ାଉ ସମୟରେ ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀ ଶୁଭମ ବଣିକ, ଜନ ସ୍ୱାସ୍ଥ୍ୟ ବିଭାଗର ରତି ରଞ୍ଜନ ବାରିକ, ବାଲିମେଳା ଏନଏସିର ଆର ଆଇ ସାଧୁ ଚରଣ ମହାନ୍ତି, ପ୍ରତାପ ପଣ୍ଡା, ଧନେଶ୍ୱର ପାଟନିଆ,ପ୍ରଦୀପ କୁମାର ମାହାଳିଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ