କୋଲାବିରା ସିଏଚସିରେ ସ୍ୱାସ୍ଥ୍ୟସେବାକୁ ନେଇ ପୁଣି ପ୍ରଶ୍ନ, ଅଢ଼େଇ ଘଂଟା ଚିକିତ୍ସା ନମିଳିବା ଅଭିଯୋଗ
Irregularities in Kolabira phc
କୋଲାବିରା ସିଏଚସିରେ ସ୍ୱାସ୍ଥ୍ୟସେବାକୁ ନେଇ ପୁଣି ପ୍ରଶ୍ନ, ଅଢ଼େଇ ଘଂଟା ଚିକିତ୍ସା ନମିଳିବା ଅଭିଯୋଗ


ଝାରସୁଗୁଡ଼ା, ୧୫ ଜୁଲାଇ, (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ସ୍ୱାସ୍ଥ୍ୟସେବାର ଅବ୍ୟବସ୍ଥାକୁ ନେଇ ପୁଣିଥରେ ଅଭିଯୋଗ ଉଠିଛି। ଗୁରୁତର ଅସୁସ୍ଥ ଜଣେ ରୋଗୀଙ୍କୁ ଭର୍ତି କରାଯିବା ପରେ ପ୍ରାୟ ଅଢ଼େଇ ଘଂଟା ଧରି ଡାକ୍ତରୀ ସେବା ନମିଳିବା ଅଭିଯୋଗକୁ କେନ୍ଦ୍ର କରି ହସ୍ପିଟାଲ ପରିସରରେ ଉତେଜନା ପ୍ରକାଶ ପାଇଥିଲା।

ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ରାତି ପ୍ରାୟ ୨ଟାରେ ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ କୋଲାବିରା ସିଏଚସିରେ ଭର୍ତି କରାଯାଇଥିଲା। କିନ୍ତୁ ରୋଗୀଙ୍କୁ ଭର୍ତି କରାଯିବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଡାକ୍ତର ଚିକିତ୍ସା ପାଇଁ ନଆସିବା ସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ମଧ୍ୟ ମିଳିନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଓ ଉପସ୍ଥିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

ଘଟଣା ସମ୍ପର୍କିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ବେଳେ, ସୁରକ୍ଷା ଦୃଷ୍ଟିରୁ ରୋଗୀ ଓ ତାଙ୍କ ପରିବାର ନିଜ ପରିଚୟ ଗୋପନ ରଖିଛନ୍ତି।

ଏହି ଘଟଣାକୁ ନେଇ ଆଂଚଳିକ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି ଯେ, କୋଲାବିରା ସିଏଚସିରେ ଦୀର୍ଘଦିନ ଧରି ଡାକ୍ତର ଓ ଆବଶ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ରହିଥିବାରୁ ସାଧାରଣ ଲୋକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହସ୍ପିଟାଲରେ ଆଧୁନିକ ଚିକିତ୍ସା ସୁବିଧାର ମଧ୍ୟ ଅଭାବ ରହିଥିବା ସେମାନେ ଅଭିଯୋଗ କରିଛନ୍ତି।

ପରିଷଦ ପକ୍ଷରୁ ସ୍ଥାନୀୟ ବିଧାୟକ, ଝାରସୁଗୁଡ଼ା ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ନିକଟରେ ଏକାଧିକ ଥର ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୃଶ୍ୟମାନ ପଦକ୍ଷେପ ଗ୍ରହଣ କରାଯାଇନଥିବା ସେମାନେ କହିଛନ୍ତି। ତୁରନ୍ତ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ସହ ସ୍ୱାସ୍ଥ୍ୟସେବାର ମାନ ସୁଧାର ପାଇଁ ସେମାନେ ଦାବି କରିଛନ୍ତି।

ଏପ୍ରସଙ୍ଗରେ କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଘନଶ୍ୟାମ ସୋରେନ କହିଛନ୍ତି ଯେ, ମଙ୍ଗଳବାର ରାତିରେ ଏଭଳି ଏକ ଘଟଣା ଘଟିଥିବା ସମ୍ପର୍କରେ ସେ ଅବଗତ ଅଛନ୍ତି। ତେବେ ଏପର୍ଯ୍ୟନ୍ତ ଏନେଇ କୌଣସି ଆନୁଷ୍ଠାନିକ ଲିଖିତ ଅଭିଯୋଗ ମିଳିନାହିଁ। ଲିଖିତ ଅଭିଯୋଗ ପ୍ରାପ୍ତ ହେଲେ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande