

ବଲାଙ୍ଗିର, 15 ଜୁଲାଇ (ହି.ସ.)
ପୃଥିବୀରେ ବସବାସ କରୁଥିବା ପ୍ରାଣୀଜଗତରେ ମଣିଷର ବୁଦ୍ଧି, ବିବେକ ଓ ବିଚାର କରିବାର ଶକ୍ତି ଏବଂ ତାର କଥା କହିବାର ଶକ୍ତି ଅଧିକ ଥିବାରୁ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ବର୍ତ୍ତମାନ ସମାଜରେ ବୁଦ୍ଧିଜୀବୀମାନେ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ ନକରି ଦୀର୍ଘ ନୀରବତା ଅବଲମ୍ବନ କରିବା ସହିତ ଶାସକଗୋଷ୍ଠୀର ଜୟଗାନ ମନୋବୃତ୍ତି ଆମ ସମାଜକୁ ଆହୁରି ଅଧୋପତନ ଆଡକୁ ନେଇଯାଉଛି। ଏଥିପାଇଁ ବୁଦ୍ଧିଜୀବୀମାନଙ୍କୁ ମୁହଁ ଖୋଲିବାକୁ ହେବ, ସମାଜ ପ୍ରତି ଓ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବାକୁ ପଡିବ।
ବଲାଙ୍ଗିରର ଅଗ୍ରଣୀ ସାମାଜିକ-ସାହିତ୍ୟିକ-ସାଂସ୍କୃତିକ ଅନୁଷ୍ଠାନ 'ରଚନା'ର ଏ ମାସର ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି। ସ୍ଥାନୀୟ ସଂସ୍କୃତି ଭବନ ସଭାକକ୍ଷରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅତିଥିବକ୍ତା ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ପ୍ରେମଚାନ୍ଦ ମହାନ୍ତି ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଚାରୁବାଳା ଦେବୀ ଯୋଗଦେଇ କୁରୁସଭା ମଧ୍ୟରେ ହୋଇଥିବା ନାରୀ ନିର୍ଯାତନା ବେଳେ ସମସ୍ତ ବୁଦ୍ଧିଜୀବୀଙ୍କ ନୀରବତା ଯେମିତି ସମଗ୍ର କୁରୁବଂଶ ବିନାଶର କାରଣ ହୋଇଥିଲା, ସେମିତି ବର୍ତ୍ତମାନ ସମୟରେ ମଧ୍ୟ ସମାଜରେ ଘଟୁଥିବା ଅନ୍ୟାୟ ଅତ୍ୟାଚାର ପ୍ରତି ସ୍ୱର ଉତ୍ତୋଳନ ନକରି ବୁଦ୍ଧିଜୀବୀମାନେ ନୀରବଦ୍ରଷ୍ଟା ସାଜିବା ଆଗାମୀଦିନ ପାଇଁ ବିପଦର ସୂଚନା ବୋଲି ମତବ୍ୟକ୍ତକରିଥିଲେ। ଯୁବପ୍ରତିଭା ସୁଶ୍ରୀ ପ୍ରତିଶୃତି ନାୟକ ଏବଂ ଜିତେନ୍ଦ୍ର ଛତ୍ରିଆ ଯୁବବର୍ଗ ବୁଦ୍ଧିଜୀବୀମାନଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି ଏବଂ ବୁଦ୍ଧିଜୀବୀମାନେ ସମାଜ ଗଠନରେ ନିଜର କର୍ତ୍ତବ୍ୟ ପ୍ରତି ଉଦାସୀନ ରହିଲେ ଯୁବବର୍ଗ ଶିଖିବେ କଣ ବୋଲି ପ୍ରଶ୍ନ କରିଥିଲେ। ଭାବ ବିନିମୟ କାର୍ଯ୍ୟକ୍ରମରେ ଗୀତିକାର ହୃଷିକେଶ ପୁରୋହିତ ବୁଦ୍ଧିଜୀବୀମାନେ ନିଜର ଦୃଷ୍ଟିକୋଣ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ 'ରଚନା'ର ସଭ୍ୟା ସଂଗୀତା ଶେଖର ଦେଓ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହସମ୍ପାଦକ ରତ୍ନମୟ ତ୍ରିପାଠୀ। ଏଥିରେ ସହରର ଅନେକ ବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ, ସାହିତ୍ୟିକ ଓ ଯୁବପ୍ରତିଭା ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ