
ସମ୍ବଲପୁର, ୧୫, ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ପୋଲିସ ପକ୍ଷରୁ ଗୌଡ଼ପାଲି-ଧିପାପଡ଼ା ଅଂଚଳରେ ଚଢ଼ାଉ କରି ବିପୁଳ ପରିମାଣର ନକଲି କଫ୍ ସିରପ୍, ନିଶା ଟାବଲେଟ୍ ଓ ଦେଶୀ ମଦ ଜବତ କରିଛି। ଏହି ଘଟଣାରେ ଧିପାପଡ଼ା ଗ୍ରାମର ୪୨ ବର୍ଷିୟ କୁଦାର୍ଥ ମହାନନ୍ଦକୁ ପୋଲିସ ଗିରଫ କରିଛି।
ପୋଲିସ ସୂଚନା ଅନୁସାରେ, ୧୪ ଜୁଲାଇ ସନ୍ଧ୍ୟାରେ ବୁର୍ଲା ଥାନାର ଏଏସଆଇ ପୁଷ୍ପାଞ୍ଜଳି ଜଗଦାଲା ଓ ତାଙ୍କ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ସୂଚନା ପାଇଥିଲେ ଯେ, ସରକାରୀ ଗୌଡ଼ପାଲି-ଧିପାପଡ଼ା ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଜନୈକ ବ୍ୟକ୍ତି ଅଧିକ ଦାମରେ ନିଶାସକ୍ତଙ୍କୁ ନକଲି କଫ୍ ସିରପ୍ ଓ ଦେଶୀ ମଦ ବିକ୍ରି କରୁଛି।
ଏହାପରେ ପୋଲିସ କିଛି ସାକ୍ଷୀଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିଥିଲା। ତା' ନିକଟରୁ ପ୍ରାୟ ୭୫୦ ମିଲିଲିଟର ସନ୍ଦେହଜନକ ତରଳ ପଦାର୍ଥ ଭର୍ତି ଏକ ପ୍ଲାଷ୍ଟିକ ବୋତଲ, ୨୩ଟି ସିଲ୍ ହୋଇଥିବା ୱିନସେରେକ୍ସ କଫ୍ ସିରପ୍ ବୋତଲ (ପ୍ରତିଟି ୧୦୦ ମିଲିଲିଟର), ୪ଟି ଖୋଲା ବୋତଲ, ନାଇଟ୍-୧୦ ଟାବଲେଟର ଗୋଟିଏ ଷ୍ଟ୍ରିପ୍ (୬ଟି ଟାବଲେଟ୍) ଏବଂ ୨୦୦ ମିଲିଲିଟର ଲେଖାଏଁ ୧୬ଟି ଦେଶୀ ମଦ ପାଉଚ୍ ଜବତ କରାଯାଇଛି।
ଏହି ଘଟଣାରେ ବୁର୍ଲା ଥାନାରେ ୩୧୧/୨୬ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏବେବି ଅଧିକ ତଦନ୍ତ ଜାରି ରହିଛି ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ