ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆରମ୍ଭ ହେଲା ସୁରକ୍ଷିତ ପର୍ଯ୍ୟଟକ ଅଭିଯାନ
ପୁରୀ/ଭୁବନେଶ୍ୱର, ୧୫ ଜୁଲାଇ (ହି.ସ)- ଓଡ଼ିଶାରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ରାଜ୍ୟକୁ ଏକ ନିରାପଦ ତଥା ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ଦିଗରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶ
ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆରମ୍ଭ ହେଲା ସୁରକ୍ଷିତ ପର୍ଯ୍ୟଟକ ଅଭିଯାନ


ପୁରୀ/ଭୁବନେଶ୍ୱର, ୧୫ ଜୁଲାଇ (ହି.ସ)- ଓଡ଼ିଶାରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ରାଜ୍ୟକୁ ଏକ ନିରାପଦ ତଥା ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ଦିଗରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ଜାତୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ବୁଧବାର ପୁରୀଠାରେ ‘ସୁରକ୍ଷିତ ପର୍ଯ୍ୟଟକ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିରୀକ୍ଷକ ଡକ୍ଟର ଉମାଶଙ୍କର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ବୃତିଗତ ଭାବେ ତାଲିମପ୍ରାପ୍ତ ଲାଇଫ୍ଗାର୍ଡ (ଜୀବନ ରକ୍ଷକ) ମାନଙ୍କୁ ସରକାରୀ ଲାଇସେନ୍ସ ପ୍ରଦାନ କରିଥିଲେ। ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ସଫଳତାର ସହ ଜୀବନରକ୍ଷା ତାଲିମ ସମାପ୍ତ କରିଥିବା ଏହି ଲାଇଫ୍ ଗାର୍ଡମାନେ ଓଡ଼ିଶାର ସମୁଦ୍ର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜଳାଶୟଗୁଡ଼ିକରେ ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ।

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଆଧୁନିକ ବେଳାଭୂମି ସୁରକ୍ଷା ଏବଂ ଉଦ୍ଧାର ଉପକରଣଗୁଡ଼ିକର ଉଦ୍ଘାଟନ କରିଥିଲେ। ଏଥିରେ ଅଲ୍-ଟେରେନ୍ ଭେହିକିଲ୍ , ରେସ୍କ୍ୟୁ ବୋର୍ଡ, ରେସ୍କ୍ୟୁ ଟ୍ୟୁବ୍, ଇନଫ୍ଲେଟେବଲ୍ ରେସ୍କ୍ୟୁ ବୋଟ୍, ଲାଇଫ୍ ଜ୍ୟାକେଟ୍ ଏବଂ ଆଧୁନିକ ଯୋଗାଯୋଗ ଉପକରଣ ସାମିଲ ରହିଛି, ଯାହା ବେଳାଭୂମିରେ ନଜର ରଖିବା ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବାରେ ବେଶ୍ ସହାୟକ ହେବ।

ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ, ପ୍ରତ୍ୟେକ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ରାମଚଣ୍ଡୀଠାରେ ‘ଓଡ଼ିଶା ଷ୍ଟେଟ୍ ୱାଟରମ୍ୟାନ୍ସିପ୍ ଆଣ୍ଡ ଲାଇଫ୍ଗାର୍ଡ ଇନଷ୍ଟିଚ୍ୟୁଟ୍’ ର ପ୍ରତିଷ୍ଠା ଦ୍ୱାରା ଆନ୍ତର୍ଜାତୀୟ ସ୍ତରର ଜୀବନରକ୍ଷା କାର୍ଯ୍ୟ ପାଇଁ ଏକ ଦକ୍ଷ ଲାଇଫ୍ ଗାର୍ଡ କ୍ୟାଡର ପ୍ରସ୍ତୁତ କରିବାର ମୂଳଦୁଆ ପଡ଼ିପାରିଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ବର୍ତମାନ ସୁଦ୍ଧା ପ୍ରାୟ ୨୦୦ ଲାଇଫ୍?ଗାର୍ଡଙ୍କୁ ସର୍ଫ ଲାଇଫ୍ ସେଭିଂ, ଓପନ୍ ୱାଟର ରେସ୍କ୍ୟୁ, ଅଣ୍ଡରୱାଟର ରେସ୍କ୍ୟୁ, ସ୍ୱିମିଂ ପୁଲ୍ ରେସ୍କ୍ୟୁ, ସିପିଆର (ଉଚଜ), ପ୍ରାଥମିକ ଚିକିତ୍ସା ଏବଂ ଜରୁରୀକାଳୀନ ମୁକାବିଲା କୌଶଳ ଉପରେ ଉଚ୍ଚତର ତାଲିମ ପ୍ରଦାନ କରାଯାଇଛି।

ଉପ-ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, 'ସୁରକ୍ଷିତ ପର୍ଯ୍ୟଟକ ଅଭିଯାନ' କେବଳ ଏକ ସୁରକ୍ଷା କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାକୁ ଦେଶର ସବୁଠାରୁ ନିରାପଦ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ଏହା ସରକାରଙ୍କ ଏକ ଦୀର୍ଘକାଳୀନ ପ୍ରତିବଦ୍ଧତା। ଏହି ଅଭିଯାନ ଓଡ଼ିଶା ସରକାରଙ୍କ ଦାୟିତ୍ୱପୂର୍ଣ୍ଣ, ସ୍ଥାୟୀ ଏବଂ ସୁରକ୍ଷିତ ପର୍ଯ୍ୟଟନର ବିକାଶ ଆଭିମୁଖ୍ୟ ସହ ଜଡ଼ିତ, ଯାହା ରାଜ୍ୟକୁ ବେଳାଭୂମି, ଦୁଃସାହସିକ ଏବଂ ଜଳକ୍ରୀଡ଼ା ପର୍ଯ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ପସନ୍ଦଯୋଗ୍ୟ ସ୍ଥାନ ଭାବେ ସ୍ଥାପିତ କରିବ ବୋଲି ଆଶା ପ୍ରକାଶ କରାଯାଇଛି।

ଶେଷରେ ତାଲିମପ୍ରାପ୍ତ ଲାଇଫ୍ ଗାର୍ଡମାନଙ୍କ ଦ୍ୱାରା ଆଧୁନିକ ଉଦ୍ଧାର ଉପକରଣର ବ୍ୟବହାର ଏବଂ ଜରୁରୀକାଳୀନ ଉଦ୍ଧାର କୌଶଳର ଏକ ଚିତାକର୍ଷକ ପ୍ରଦର୍ଶନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande