ରାଜ୍ୟସ୍ତରୀୟ ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୬ ପାଳିତ
ଭୁବନେଶ୍ୱର, ୧୫ ଜୁଲାଇ (ହି.ସ)- ଓଡ଼ିଶାକୁ ସାରା ଦେଶରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ଯୁବ ଦକ୍ଷତା ଦିବସ ସମାରୋହ ପାଳନ ଅବସରରେ ଶ
ରାଜ୍ୟସ୍ତରୀୟ ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୬ ପାଳିତ


ଭୁବନେଶ୍ୱର, ୧୫ ଜୁଲାଇ (ହି.ସ)- ଓଡ଼ିଶାକୁ ସାରା ଦେଶରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ଯୁବ ଦକ୍ଷତା ଦିବସ ସମାରୋହ ପାଳନ ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି।

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ମନ୍ତ୍ରୀ ଓଡ଼ିଶାର ସଫଳ ଯୁବପିଢ଼ିଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ, ଆପଣଙ୍କ ଦକ୍ଷତା ହେଉଛି ଭାରତର ଶକ୍ତି, ଆପଣଙ୍କ ସଫଳତା ହେଉଛି ଭାରତର ଗର୍ବ। ବର୍ତ୍ତମାନ ସମୟରେ ଆଡଭାନ୍ସଡ ମାନୁଫାକ୍ଚରିଂ, ଡିଜିଟାଲ ଟେକ୍ନୋଲୋଜି, ଗ୍ରୀନ ଇକୋନୋମି ଏବଂ ସେବା କ୍ଷେତ୍ରରେ ମିଳୁଥିବା ନୂଆ ନୂଆ ସୁଯୋଗର ଫାଇଦା ନେବା ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଦରକାର। ଏଥିପାଇଁ ସେମାନଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପସ୍କିଲିଂ ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। କାରଣ ଆଜିର ଦକ୍ଷତା କାଲିର ନେତୃତ୍ୱ ସୃଷ୍ଟି କରିବ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ବଡ଼ ସ୍ୱପ୍ନ ଦେଖ, ଦକ୍ଷତା ବଢାଅ।

ପ୍ରତିବର୍ଷ ଜୁଲାଇ ୧୫ ତାରିଖରେ ବିଶ୍ୱବ୍ୟାପୀ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ରହିଛି “ସ୍କିଲସ୍ ଫର ଏ ସେୟାରଡ୍ ଫ୍ୟୁଚର । ଏଥିରେ ଦ୍ରୁତ ଗତିରେ ବଦଳୁଥିବା ଦୁନିଆରେ ସଫଳତା ହାସଲ କରିବା ପାଇଁ ଯୁବପିଢ଼ିଙ୍କୁ ଟେକ୍ନିକାଲ୍, ଡିଜିଟାଲ୍, ଆର୍ଟିଫିସିଆଲ୍ ଇେଂଟଲିଜେନ୍ସ , ଗ୍ରୀନ୍, ସୋସିଓ-ଇମୋସନାଲ ଏବଂ ସିଭିକ ସ୍କିଲ ସହିତ ସନ୍ତୁଳିତ ଯୋଗ୍ୟତା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି।

ଇଣ୍ଡିଆସ୍କିଲ୍ସ ପ୍ରତିଯୋଗିତା ୨୦୨୫-୨୬ର ମୋଟ୍ ୬୨ଜଣ ପଦକ ବିଜେତାଙ୍କୁ ‘ମୁଖ୍ୟମନ୍ତ୍ରୀ ଦକ୍ଷତା ପୁରସ୍କାର’ରେ ସମ୍ମାନିତ କରାଯାଇଛି। (ଏହି ପୁରସ୍କାର ବାବଦକୁ ସ୍ୱର୍ଣ୍ଣ ପଦକ ପାଇଁ ?୨.୦୦ ଲକ୍ଷ, ରୌପ୍ୟ ପଦକ ପାଇଁ ?୧.୦୦ ଲକ୍ଷ, ବ୍ରୋଞ୍ଜ ପଦକ ପାଇଁ ?୫୦,୦୦୦ ଏବଂ ମେଡାଲିଅନ୍ ଅଫ୍ ଏକ୍ସଲେନ୍ସ ପାଇଁ ?୨୫,୦୦୦ ପ୍ରଦାନ କରାଯାଇଛି)। ଦେଶରେ ସବୁଠାରୁ ଅଧିକ ପଦକ ଜିତି ଓଡ଼ିଶା, ଇଣ୍ଡିଆସ୍କିଲ୍ସ ୨୦୨୫-୨୬ ରେ ‘ନ୍ୟାସନାଲ ସ୍କିଲ୍ ଚାମ୍ପିଅନ୍’ ହୋଇଛି। ଏହା ରାଜ୍ୟର ମଜବୁତ୍ ଦକ୍ଷତା ବିକାଶ ବ୍ୟବସ୍ଥା ଏବଂ ଯୁବପିଢ଼ିଙ୍କ ଉତ୍କୃଷ୍ଟ ପ୍ରତିଭାକୁ ଦର୍ଶାଉଛି।

ଏହି କାର୍ଯ୍ୟକ୍ରମ ଅବସରରେ, ‘ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍’ (ସିଏମଏସଡିଏଫ୍) କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ୍ ର ଫେଲୋମାନଙ୍କୁ ସେମାନଙ୍କର ଦୁଇ ବର୍ଷର ଫେଲୋସିପ୍ ସଫଳତାର ସହ ଶେଷ କରିବା ପାଇଁ ସମ୍ମାନିତ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୨୪ ମସିହାରେ ଆରମ୍ଭ ହୋଇଥିବା ଏହି ଚ କାର୍ଯ୍ୟକ୍ରମ ରାଜ୍ୟର ତୃଣମୂଳସ୍ତରରେ ଦକ୍ଷତା ବିକାଶ ବ୍ୟବସ୍ଥାକୁ ଅଧିକ ମଜବୁତ୍ କରିଛି। ଏହି କାର୍ଯ୍ୟକ୍ରମର ପ୍ରତିଷ୍ଠାନିକ ସହଯୋଗୀ ‘ଟାଟା ଷ୍ଟ୍ରାଇଭ୍’ ଏବଂ ‘ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍’କୁ ମଧ୍ୟ ସେମାନଙ୍କର ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ସମ୍ମାନିତ କରାଯାଇଥିଲା।

ଏହି ଉତ୍ସବ ଅବସରରେ ଶିଳ୍ପ ଜଗତ ସହ ସମ୍ପର୍କକୁ ଅଧିକ ମଜବୁତ୍ କରିବା, ତାଲିମର ଗୁଣବତ୍ତା ବଢ଼ାଇବା ଏବଂ ଛାତ୍ରଛାତ୍ରୀ ଓ ଦକ୍ଷ ଯୁବପିଢ଼ିଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ସହଯୋଗୀ ସଂସ୍ଥାଙ୍କ ସହ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ସଂସ୍ଥାଗୁଡ଼ିକ ମଧ୍ୟରେ ଟିସିଏସ୍ ଆଇଓନ୍ , ଏଜୁନେଟ୍ ଫାଉଣ୍ଡେସନ , ଟିଏନ୍ ଅଟୋ , ଆଇଏସ୍?ଆଇଇ ଇଣ୍ଡିଆ , ଆବିକୋର୍ ବିଞ୍ଜେଲ୍ ଏବଂ ୟୁଡିଜ୍ ସଲ୍ୟୁସନ୍ସ ପ୍ରମୁଖ ସାମିଲ ରହିଛନ୍ତି।

ଏହାପୂର୍ବରୁ ପୂର୍ବାହ୍ନରେ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମିଳିତ ଭାବେ କଳିଙ୍ଗ ଷ୍ଟାଡିୟମଠାରେ 'ସ୍କିଲ୍ ମାରାଥନ୍'ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମାରାଥନରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର, ଆଇଟିଆଇ, ପଲିଟେକନିକ୍ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ବୈଷୟିକ ଶିକ୍ଷା ଓ ତାଲିମ ଏବଂ ଦକ୍ଷତା ବିକାଶ-ତଥା-ନିଯୁକ୍ତି ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂ ରାଠୋର, ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସିଇଓ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ଜଗତର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande