



ଭୁବନ, ୧୬ ଜୁଲାଇ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ଘୋଷ ଯାତ୍ରା ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତନ ମଣ୍ଡଳୀ, ଘଂଟୁଆ ଓ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ରଥ ଟାଣିଥିଲେ । ସକାଳ ୬ ଘଟିକା ସମୟରେ ଦେଉଳ ଫିଟା,ଦ୍ୱାରପାଳ ପୂଜା,ମଙ୍ଗଳ ଆଳତି,୮ଘଟିକାରେ ପାଟବସ୍ତ୍ର ଆନୟନ,୧୦ ଘଟିକା ରେ ଆଜ୍ଞାମାଳ ବିଜେ,୧୧ ଘଟିକା ରେ ମହାପ୍ରସାଦ ନୀତି ,୧୨ ଘଟିକା ରେ ରଥ ପ୍ରତିଷ୍ଠା ପରେ ୧ ଘଟିକା ରେ ସେବାୟତ ମନେ ଚତୁର୍ଦ୍ଧା ମୂର୍ତି ଙ୍କୁ ପହଣ୍ଡି କରି ରଥାରୂଢ଼ କରିଥିଲେ । ୨ ଘଟିକା ରେ ମହାପ୍ରଭୁ ଙ୍କ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ ଛେରା ପହଁରା କରିଥିଲେ ଓ ଅପରାହ୍ନ ୪ ଘଟିକା ସମୟରେ ରଥ ଟଣକ୍ଷ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୭ ଘଟିକା ସୁଦ୍ଧା ନୂଆ ବଜାର ଲକ୍ଷ୍ମୀ ମଣ୍ଡପ ସମ୍ମୁଖରେ ତିନି ରଥ ପହଂଚିଥିଲା। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବୀ ସୁଭଦ୍ରା ଙ୍କ ରଥ କୁ ମହିଳା ମାନେ ଟାଣିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ସମସ୍ତ କର୍ମକର୍ତା, ସେବାୟତ, ମାତୃ ମଣ୍ଡଳୀ, ସଙ୍କୀର୍ତନ ମଣ୍ଡଳୀ, ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁଙ୍କ ତତ୍ୱାବଧାନରେ ପୋଲିସ କର୍ମଚାରୀ ଏହି ପବିତ୍ର ରଥ ଯାତ୍ରା ରେ ସାମିଲ ହୋଇ କର୍ତବ୍ୟ ସମ୍ପାଦନ କରିଥିଲେ । ଡ଼ାଜଲିଙ୍ଗ କ୍ଳବ ତରଫରୁ ପ୍ରସାଦ ବଂଟନ ,ଭିଡ ନିୟନ୍ତ୍ରଣ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ,ନୂଆ ବଜାର ତରଫରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେଉଛି । ଆସନ୍ତା କାଲି ଅପରାହ୍ନ ରେ ପୁନର୍ବାର ରଥଟଣ। ହୋଇ ବଡ଼ହାଟ ସ୍ଥିତ ମାଉସୀ ମା ମନ୍ଦିରକୁ ନିଆଯିବ । ଅନୁରୂପ ଭାବେ ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ