ଝାରସୁଗୁଡ଼ା ଜିଲ୍ଲାରେ ଭକ୍ତିଭାବରେ ପାଳିତ ହେଲା ମହାପ୍ରଭୁଙ୍କ ରଥଯାତ୍ରା
Cart festival in Jharsuguda
Cart festival


ଝାରସୁଗୁଡ଼ା, ୧୬ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଗୁରୁବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଛି। ରଥଦାଣ୍ଡ ଓ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ‘ଜୟ ଜଗନ୍ନାଥ’ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଜିଲ୍ଲାର ପ୍ରସିଦ୍ଧ କୁକୁରଜଙ୍ଘା ଜଗନ୍ନାଥ ମନ୍ଦିରରେ ବାବା ପ୍ରେମାନନ୍ଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରୀତିନୀତି ଅନୁଯାୟୀ ରଥଯାତ୍ରା ଆୟୋଜିତ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ କୁକୁରଜଙ୍ଘା ସମେତ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି ରଥ ଟାଣିବା ସହ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ।ପାରମ୍ପରିକ ଛେରା ପହଁରା ନୀତିକୁ ଅନିଲ ସିଂ ସମ୍ପାଦନ କରିଥିବା ବେଳେ ପଣ୍ଡିତ ଅକ୍ଷୟ ମିଶ୍ର ସମସ୍ତ ପୂଜାର୍ଚ୍ଚନା ସୁଚାରୁରୂପେ ସମ୍ପନ୍ନ କରିଥିଲେ।ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଓ ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ରଥ ଦଉଡ଼ି ଟାଣିଥିଲେ।ରଥଯାତ୍ରା ସଫଳ ଆୟୋଜନରେ ବସନ୍ତ ଦାସ, ତ୍ରିନାଥ ତିୱାରୀ, କୈଳାଶ ତ୍ରିପାଠୀ, ଶ୍ରୀପତି ମିଶ୍ରଙ୍କ ସମେତ ବହୁ ବ୍ରାହ୍ମଣ, କୁକୁରଜଙ୍ଘା ଗ୍ରାମବାସୀ ଓ ସ୍ଥାନୀୟ ଭକ୍ତମାନେ ସକ୍ରିୟ ସହଯୋଗ କରିଥିଲେ।

କୁକୁରଜଙ୍ଘା ବ୍ୟତୀତ ଝାରସୁଗୁଡ଼ା ସହରର ସରବାହାଲ, ମାରୱାଡ଼ିପଡ଼ା, ବିଟିଏମ୍ ଏବଂ ଜିଲ୍ଲାର ବେଲପାହାଡ଼, ଗୁମାଡେରା, ବନ୍ଧବହାଲ, ଲଇକେରା ଓ କିର୍ମିରାସ୍ଥିତ ଜଗନ୍ନାଥ ମନ୍ଦିରଗୁଡ଼ିକରେ ମଧ୍ୟ ରଥଯାତ୍ରା ଧୂମଧାମରେ ପାଳିତ ହୋଇଥିଲା। ସମଗ୍ର ଜିଲ୍ଲାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ‘ଜୟ ଜଗନ୍ନାଥ’ ଧ୍ୱନିରେ ଗଗନ-ପବନ ପ୍ରକମ୍ପିତ ହୋଇଉଠିଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande