
ସମ୍ବଲପୁର, ୧୬ ଜୁଲାଇ(ହି.ସ.) – ସମ୍ବଲପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଶିଷ୍ଟ ସାହିତ୍ୟିକ ଦୁର୍ଗା ପ୍ରସାଦ ନାଥଙ୍କ ବହୁପ୍ରତୀକ୍ଷିତ ପୁସ୍ତକ ‘ଦୁର୍ଗା ପ୍ରସାଦ ନାଥଙ୍କ ରଚନାବଳୀ'ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡାକ୍ତର ନାରାୟଣୀ ପଣ୍ଡା ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ପ୍ରଫେସର ତ୍ରିପାଠୀ ଏହି ଅବସରରେ ଶ୍ରୀ ନାଥଙ୍କ ସାରସ୍ୱତ ସାଧନାକୁ ଉଚ୍ଚ ପ୍ରଶଂସା କରିବା ସହ ଏହି ରଚନାବଳୀ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି ଜଗତ ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି ଅଭିହିତ କରିଥିଲେ।
ଏହି ରଚନାବଳୀ ମଧ୍ୟରେ ଲେଖକଙ୍କ ପ୍ରମୁଖ ୧୦ଟି ରଚନା ସନ୍ନିବେଶିତ ରହିଛି। ଏହି ସମାରୋହରେ ଅତିଥି ଓ ସମୀକ୍ଷକ ଭାବେ ଡ. ରାଧାଶ୍ୟାମ ପ୍ରଧାନ, ପାର୍ବତୀ ରାୟ, ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ମୁକୁନ୍ଦ ପ୍ରଧାନ, ଡ. ଗୋପିନାଥ ବାଗ୍, ଡ. ସପନ ମିଶ୍ର, ଡ. ଶ୍ୟାମ ସୁନ୍ଦର ଧର ଏବଂ ପ୍ର. ସବିତା ତ୍ରିପାଠୀ ପ୍ରମୁଖ ଯୋଗଦେଇ ପୁସ୍ତକର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅଧ୍ୟାପକ ତୁଷାର ରଞ୍ଜନ ସାରଥୀ ଏବଂ ଶୋଭନା ବାବୁ ମଂଚ ସଂଚାଳନ କରିଥିବା ବେଳେ ଏହି ଅବସରରେ ବହୁ ସଂଖ୍ୟାରେ ସାହିତ୍ୟିକ, ଗବେଷକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ