
ଝାରସୁଗୁଡ଼ା, ୧୬ ଜୁଲାଇ (ହି.ସ.)
ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଓ ବାଗଡିହି ବନାଞ୍ଚଳରେ ଗତ ୩ରୁ ୪ ଦିନ ଧରି ଏକ ଦନ୍ତା ହାତୀର ଉପଦ୍ରବ ଲାଗି ରହିଥିବା ବେଳେ ବୁଧବାର ରାତିରେ ଆଉ ଏକ ଦନ୍ତା ହାତୀ କୋଲାବିରା ବନାଞ୍ଚଳକୁ ପ୍ରବେଶ କରିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସୂଚନାନୁସାରେ, ବୁଧବାର ରାତି ପ୍ରାୟ ୧ଟା ସମୟରେ ହାତୀଟି ରେଙ୍ଗାଲି ବନାଞ୍ଚଳର ବେଉଁରା ଜଙ୍ଗଲରୁ ବାହାରି ଭେଡେନ ନଦୀ ପାର ହୋଇ କେ. ସମାସିଂହା ଗ୍ରାମରେ ପ୍ରବେଶ କରିଥିଲା। ସେଠାରେ ବସୁଦେବ ଜୟପୁରୀୟାଙ୍କ ଘର ପଛପଟେ ଥିବା ଏକ କୋଠରୀର କାନ୍ଥ ଭାଙ୍ଗି ଧାନ ଭର୍ତ୍ତି ଏକ ବସ୍ତା ଟେକି ନେଇ ଖାଇଦେଇଥିବା ଅଭିଯୋଗ ହୋଇଛି।
ଖବର ପାଇ କୋଲାବିରା ରେଞ୍ଜର ସୁଦାମ ଜଗଦଳାଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ପରେ ହାତୀଟି ସମାସିଂହା ଓ ସନ୍ୟାସୀପାଲି ଗ୍ରାମ ଦେଇ ମହୁଲମୁଣ୍ଡା ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ସମ୍ପର୍କରେ ରେଞ୍ଜର ଶ୍ରୀ ଜଗଦଳା ସୂଚନା ଦେଇଛନ୍ତି।
ତେବେ ସନ୍ଧ୍ୟା ହେଲେ ହାତୀଟି ପୁଣି ଜଙ୍ଗଲରୁ ବାହାରି ଗ୍ରାମମୁହାଁ ହେବାର ଆଶଙ୍କା ଥିବାରୁ ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡ଼ିକର ଲୋକମାନଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିଛି । ବନ ବିଭାଗ ପକ୍ଷରୁ ସତର୍କ ରହିବା ସହ ରାତିରେ ଏକାକୀ ବାହାରକୁ ନ ଯିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ