

ପୁରୀ, ୧୬ ଜୁଲାଇ (ହି.ସ.)- ଆଜି ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ଝିପିଝିପି ବର୍ଷା ସତ୍ୱେ ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା ଓ ରଥ ଟାଣିବା ପାଇଁ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରଥାରୁଢ଼ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଘଂଟ ଘଂଟା, ଶଙ୍ଖ, କାହାଳୀର ଧ୍ୱନୀ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଛି ଗଗନ ପବନ ।
ଆଜି ସକାଳୁ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ରଥ ପ୍ରତିଷ୍ଠା ପରେ ନିର୍ଦ୍ଧାରିତ ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା । ଧାଡି ପହଣ୍ଡିରେ ଆସି ତିନି ଠାକୁର ରଥାରୁଢ଼ ହୋଇଛନ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଧାଡି ପହଣ୍ଡିରେ ଆସି ପୂର୍ବାହ୍ନ ୯ଟା ୧୫ ରେ ଦର୍ପଦଳନ ରଥରେ ବିରାଜମାନ କରିଛନ୍ତି । ପରେ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ଶ୍ରୀବିଗ୍ରହ ତାଳଧ୍ୱଜ ରଥରେ ୧୦ଟା ୪୫ରେ, ଏହାପରେ ଦେବୀ ସୁଭଦ୍ରାଙ୍କ ଶ୍ରୀବିଗ୍ରହ ଦର୍ପଦଳନ ରଥରେ ପୂର୍ବାହ୍ନ ୧୧ଟାରେ ଏବଂ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀବିଗ୍ରହ ହଲିହଲି ଝୁଲିଝୁଲି ଆସି ଅପରାହ୍ନ ୨ଟା ୧୦ରେ ନନ୍ଦିଘୋଷ ରଥରେ ବିରାଜମାନ କରିଛନ୍ତି । ଆର୍ଯ୍ୟଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ଅନୁଗାମୀ ମାନଙ୍କ ସହିତ ଯାଇ ରଥାରୁଢ଼ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରିଛନ୍ତି । ଏହାପରେ ତିନି ରଥରେ ଗଜପତି ମହାରାଜଙ୍କ ଛେରାପହଁରା ପରେ ରଥରେ କାଷ୍ଠନିର୍ମିତ ଅଶ୍ୱ ଯୋଚାଯିବ, ସାରଥୀ ସ୍ଥାପନ କରାଯିବ । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ । ବଡଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରତ୍ନବେଦିରୁ ଯଜ୍ଞବେଦିକୁ ନବଦିନ ବ୍ୟାପୀ ଯାତ୍ରାରେ ବାହାରିଛନ୍ତି କାଳିଆ ଠାକୁର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରର ବିଭିନ୍ନ ସ୍ଥାନ ସମେତ ବଡଦାଣ୍ଡ ଓ ରଥ ଚାରିପାଖ, ସମୁଦ୍ର କୂଳ ଓ ରେଳଷ୍ଟେସନରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ