ଉଦ୍ୟାନ କୃଷି କ୍ଷେତ୍ରରେ କୃଷକଙ୍କ ଆୟ ବୃଦ୍ଧି ଓ ରୋଜଗାର ସୃଷ୍ଟି ପାଇଁ ଝାରସୁଗୁଡ଼ାରେ ଏକଦିବସୀୟ କର୍ମଶାଳା; ୧୦୦ରୁ ଅଧିକ ଚାଷୀ ସାମିଲ
One day workshop for farmers
Workshops


ଝାରସୁଗୁଡ଼ା, ୧୬ ଜୁଲାଇ (ହି.ସ.)-

ଉଦ୍ୟାନ କୃଷି କ୍ଷେତ୍ରରେ କୃଷକଙ୍କ ଆୟ ବୃଦ୍ଧି ଓ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ମଲ୍ଲୀ ଓ ରଜନୀଗନ୍ଧା ଫୁଲ ଚାଷ, ମୂଲ୍ୟ ସଂଯୋଜନ, ମହୁମାଛି ପାଳନର ପ୍ରୋତ୍ସାହନ, ଶୀତଳ ଭଣ୍ଡାର ପ୍ରତିଷ୍ଠା ଏବଂ ସଂରକ୍ଷିତ ଚାଷ ବିଷୟକୁ ନେଇ ଏକଦିବସୀୟ କର୍ମଶାଳା ଝାରସୁଗୁଡ଼ା କୃଷି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାର ପ୍ରାୟ ୧୦୦ରୁ ଅଧିକ ପ୍ରଗତିଶୀଳ କୃଷକ, କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ଯୋଗଦେଇ ନିଜର ଆୟ ଦ୍ଵିଗୁଣିତ କରିବାର ଆଧୁନିକ କୌଶଳ ଶିଖିଛନ୍ତି। ଏହି କର୍ମଶାଳାରେ ଡ଼ଃ ପ୍ରିୟବ୍ରତ ମହାପାତ୍ର, ପ୍ରଫେସର, ରସାୟନ ବିଜ୍ଞାନ ବିଭାଗ ତଥା ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିସିନାଲ୍ ଆଣ୍ଡ ଆରୋମାଟିକ୍ ପ୍ଲାଣ୍ଟସର ପ୍ରତିନିଧି ଏବଂ ଅନୁଗୁଳର ଫରେଷ୍ଟ ଇକୋଲୋଜିକାଲ ସର୍ଭିସର ପୂର୍ବତନ ଅଧିକାରୀ ଅଶୋକ ଶତପଥୀ ବିଶେଷଜ୍ଞ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏହା ସହିତ ଝାରସୁଗୁଡ଼ା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଦୀପ୍ତିପ୍ରଭା ଭିତ୍ରିଆ, ମହୁମାଛି ପାଳନ ସଂଯୋଜକ ଲଲାଟେନ୍ଦୁ ମହାନ୍ତି, ବନ ବିଭାଗର ତାରକେଶ୍ୱର ପ୍ରଧାନ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତୁଳସୀ ମାଝୀ ଏବଂ କଟକ ସ୍ଥିତ ଆଦ୍ୟା ଶକ୍ତି ଏଗ୍ରୋ ଭିଜନର ନିର୍ଦ୍ଦେଶକ ସବ୍ୟସାଚୀ ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି କର୍ମଶାଳାକୁ ସମୃଦ୍ଧ କରିଥିଲେ। କର୍ମଶାଳାର ବିଶେଷଜ୍ଞମାନେ ମଲ୍ଲୀ ଓ ରଜନୀଗନ୍ଧାର ଆଧୁନିକ ଚାଷ ପ୍ରଣାଳୀ, ଗୁଣାତ୍ମକ ଚାରା ଉତ୍ପାଦନ, ଫୁଲର ଗ୍ରେଡିଂ ଏବଂ ପ୍ୟାକେଜିଂ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷକରି ଫୁଲରୁ କିପରି ସୁଗନ୍ଧିତ ଦ୍ରବ୍ୟ ଏବଂ ବ୍ୟବସାୟିକ ଗଜରା ସମେତ ବିଭିନ୍ନ ମୂଲ୍ୟ ସଂଯୋଜିତ ଉତ୍ପାଦ ପ୍ରସ୍ତୁତ କରାଯାଇ ବଜାରରେ ଅଧିକ ମୂଲ୍ୟରେ ବିକ୍ରି କରାଯାଇପାରିବ, ସେ ସମ୍ପର୍କରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଫୁଲ ଚାଷ ସହିତ ମହୁମାଛି ପାଳନ କରାଗଲେ ପରାଗସଂଯୋଗ ବୃଦ୍ଧି ପାଇବା ସହ ଫସଲ ଉତ୍ପାଦନ ଏବଂ କୃଷକଙ୍କ ଅତିରିକ୍ତ ଆୟ ବୃଦ୍ଧି ପାଇପାରିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା । ଫୁଲର ଗୁଣବତ୍ତା ବଜାୟ ରଖିବା, ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରିବା ଏବଂ ଉନ୍ନତ ବଜାର ସଂଯୋଗ ସୁନିଶ୍ଚିତ କରିବା ପାଇଁ ଶୀତଳ ଭଣ୍ଡାର ଓ ସଂରକ୍ଷିତ ଚାଷ ବ୍ୟବସ୍ଥାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏହି ଭିତ୍ତିଭୂମି ସୁବିଧା କୃଷକମାନଙ୍କୁ ବର୍ଷସାରା ଗୁଣାତ୍ମକ ଫୁଲ ଉତ୍ପାଦନ କରିବା ସହ ଉତ୍ତମ ବଜାର ମୂଲ୍ୟ ପାଇବାରେ ସହାୟକ ହେବ।

ଏହି ଅବସରରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିପ୍ରଭା ଭିତ୍ରିଆ ଫୁଲଚାଷ, ମୂଲ୍ୟ ସଂଯୋଜନ, ଶୀତଳ ଭଣ୍ଡାର, ସଂରକ୍ଷିତ ଚାଷ ଏବଂ ମହୁମାଛି ପାଳନର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନମୂଳକ ପଦକ୍ଷେପ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇଥିଲେ। କର୍ମଶାଳାର ସମାପନୀ ଅଧିବେଶନରେ ଯୋଗଦେଇଥିବା ୧୦୦ରୁ ଅଧିକ କୃଷକ ଓ କୃଷି ଉଦ୍ୟୋଗୀମାନେ ଏହି ପ୍ରଶିକ୍ଷଣ ଦ୍ୱାରା ବହୁମାତ୍ରାରେ ଉପକୃତ ହୋଇଥିବା ପ୍ରକାଶ କରିବା ସହ ବାଣିଜ୍ୟିକ ଭିତ୍ତିରେ ଫୁଲଚାଷ, ମହୁମାଛି ପାଳନ ଏବଂ ଆଧୁନିକ ଉଦ୍ୟାନ କୃଷି ପ୍ରଣାଳୀକୁ ଆହୁରି ବିସ୍ତାର କରି ନିଜର ଆୟ ଓ ରୋଜଗାର ସୁଯୋଗ ବୃଦ୍ଧି କରିବା ପାଇଁ ଗଭୀର ଆଗ୍ରହ ପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande