ବିଜେପି ସରକାର ତୃତୀୟ ଥର ରଥଯାତ୍ରା ପରିଚାଳନା କରିବାରେ ବିଫଳ : ଭକ୍ତ ଦାସ
ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ପୁରୀରେ ରଥଯାତ୍ରା ଦଳାଚକଟା ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଏପରି ଘଟଣାର ଯେଭଳି ପୁନରାବୃତି ନହୁଏ ତଥା ଏହାକୁ ରୋକିବା ପାଇଁ ଓଡ଼ିଶା ସରକାର ସତର୍କ
Bhakta Charan Das (File Photo)


ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ପୁରୀରେ ରଥଯାତ୍ରା ଦଳାଚକଟା ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଏପରି ଘଟଣାର ଯେଭଳି ପୁନରାବୃତି ନହୁଏ ତଥା ଏହାକୁ ରୋକିବା ପାଇଁ ଓଡ଼ିଶା ସରକାର ସତର୍କ ରହି ଜନସମାଗମର ଉଚିତ ପରିଚାଳନା କରିବାକୁ ଅନୁରୋଧ କରିଛନ୍ତି।

ଏହି ଘଟଣାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବିଶ୍ୱବିଦିତ ରଥଯାତ୍ରା ସମୟରେ ପୁଣିଥରେ ହୋଇଥିବା ଅବ୍ୟବସ୍ଥା ଓ ସୁରକ୍ଷା ବିଫଳତା ପାଇଁ ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୂର୍ବରୁ ଘଟିଥିବା ଦୁଃଖଦ ଭିଡ଼ ଦୁର୍ଘଟଣାରେ ଭକ୍ତମାନଙ୍କ ପ୍ରାଣହାନି ଓ ଶତାଧିକ ଲୋକ ଆହତ ହେବା ପରେ, ସେ ଏହି ଦୁର୍ଘଟଣା ପାଇଁ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି।

କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ମଧ୍ୟରେ ଜଣେ ଭକ୍ତଙ୍କ ପ୍ରାଣହାନି ଖବରରେ ସେ ଗଭୀର ଭାବେ ମର୍ମାହତ ହୋଇଛନ୍ତି । ସେ ପ୍ରାଣ ହରାଇଥିବା ଭକ୍ତଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଆହତ ହୋଇଥିବା ଶତାଧିକ ଭକ୍ତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ଦାସ୍ କହିଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ପବିତ୍ର ଧାର୍ମିକ ପର୍ବମାନଙ୍କ ମଧ୍ୟରୁ ଗୋଟିଏ, ଯାହା ପ୍ରତିବର୍ଷ ଭାରତ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରିଥାଏ। ଚଳିତ ବର୍ଷର ରଥଯାତ୍ରା ସମୟରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଘଟଣା ସାରା ବିଶ୍ୱରେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ଗଭୀର ଭାବେ ଦୁଃଖିତ ଓ ସ୍ତବ୍ଧ କରିଦେଇଛି ବୋଲି ସେ କହିଛନ୍ତି।

ଗତ ୨୯ ଜୁନ୍ ୨୦୨୫ରେ ପୁରୀ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭିଡ଼ର ଚାପ ବଢ଼ିଯିବାରୁ ଦୁଃଖଦ ଭାବେ ତିନିଜଣ ଭକ୍ତଙ୍କ ପ୍ରାଣହାନି ଘଟିଥିଲା ଏବଂ ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଆବଶ୍ୟକତାଠାରୁ ଅଧିକ କର୍ଡନ ପାସ, ଆରଏସଏସ ସ୍ୱେଛାସେବୀଙ୍କୁ କେଉଁ ଆଧାରରେ କର୍ଡନ ଭିତରକୁ ଅନୁମତି ଆଦି ମଧ୍ୟ ବିଭ୍ରାଟର ଅନ୍ୟ ଏକ କାରଣ ବୋଲି ଶ୍ରୀ ଦାସ କହିଛନ୍ତି । ପୁଣି ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ମହାପ୍ରଭୁଙ୍କୁ ବିନା ଟାହିଆରେ ଶ୍ରୀ ମନ୍ଦିରରୁ ରଥକୁ ପହଣ୍ଡି କରିବା ସମସ୍ତ ଓଡ଼ିଆ ଜାତିକୁ ବ୍ୟଥିତ କରିଛି ।

ତେବେ ଓଡ଼ିଆଙ୍କ ପ୍ରାଣ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରିଚାଳନା ସମୟରେ ଭକ୍ତମାନଙ୍କ ସୁରକ୍ଷା ଓ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ ବୋଲି କହିବା ସହ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ଏବଂ ଜଗନ୍ନାଥଙ୍କ ପ୍ରତି ଯଦି ସାମାନ୍ୟ ଭକ୍ତି ଅଛି ତେବେ ଆଇନମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ସଭାପତି ଶ୍ରୀ ଦାସ ଦାବୀ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande