ରାମ ମନ୍ଦିର ଦାନ ପରିଚାଳନାରେ ଅନିୟମିତତା ଅଭିଯୋଗ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
Press meet by district Congress
Press meet


ଝାରସୁଗୁଡା, ୧୬ ଜୁଲାଇ (ହି.ସ.)-

ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ମିଳୁଥିବା ଦାନର ପରିଚାଳନା ଓ କଥିତ ଅନିୟମିତତା ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ସମ୍ପୃକ୍ତ ଟ୍ରଷ୍ଟ ଉପରେ ପ୍ରଶ୍ନ ଉଠାଯାଇଛି। ଜିଲ୍ଲା କଂଗ୍ରେସ ନେତୃତ୍ୱ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ଯେ, ରାମ ମନ୍ଦିରକୁ ମିଳୁଥିବା ଦାନରେ ଅନିୟମିତତା ସମ୍ପର୍କରେ ଏସଆଇଟି ରିପୋର୍ଟରେ ଗୁରୁତର ତଥ୍ୟ ସାମ୍ନାକୁ ଆସିଛି। ଦାନ ଗଣତି ଗୃହରେ ସୁରକ୍ଷା ବ୍ୟବସ୍ଥାର ତ୍ରୁଟି, ବାରମ୍ବାର ଚୋରି ଏବଂ ସିସିଟିଭି ନଜରଦାରିରେ ବ୍ୟାପକ ଅବହେଳା ହୋଇଥିବା ଅଭିଯୋଗ ଉଠାଯାଇଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ୨୦୨୦ରେ ରାମ ଜନ୍ମଭୂମି ଟ୍ରଷ୍ଟ ଗଠନ ପରେ ବିପୁଳ ପରିମାଣର ନଗଦ ଦାନ ଓ ମୂଲ୍ୟବାନ ସାମଗ୍ରୀ ମିଳିଥିଲେ ମଧ୍ୟ ଏହାର ସ୍ୱଚ୍ଛ ଅଡିଟ୍ ରିପୋର୍ଟ କିମ୍ବା ଆଭ୍ୟନ୍ତରୀଣ ଯାଞ୍ଚ ସମ୍ବନ୍ଧୀୟ ସୂଚନା ସାର୍ବଜନୀନ କରାଯାଇନାହିଁ। ଶ୍ରଦ୍ଧାଳୁଙ୍କ ଦ୍ୱାରା ଦାନ କରାଯାଇଥିବା କେତେକ ସାମଗ୍ରୀର ରେକର୍ଡ ମଧ୍ୟ ନିଖୋଜ ଥିବା ଅଭିଯୋଗ ଉଠିଛି। ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ଯେ, ଦାନ ବାକ୍ସରୁ ବହୁ ପରିମାଣର ଅର୍ଥ ଚୋରି ହୋଇଥିବା ଅଭିଯୋଗ ରହିଛି ଏବଂ ୪୫ ଦିନ ମଧ୍ୟରେ ଏକାଧିକ ଚୋରି ଘଟଣା ଚିହ୍ନଟ ହୋଇଥିବା ସହ ଏଫ୍ଆଇଆର୍ ରେ କେତେକ ବ୍ୟକ୍ତିଙ୍କ ନାମ ମଧ୍ୟ ରହିଛି। ଏଥିସହ ଦାନ ଗୃହର ସିସିଟିଭି ଫୁଟେଜ୍ ନଷ୍ଟ ହୋଇଥିବା ଘଟଣାର ମଧ୍ୟ ନିରପେକ୍ଷ ତଦନ୍ତ ଦାବି କରାଯାଇଛି।

ଜିଲ୍ଲା କଂଗ୍ରେସ ନେତୃତ୍ୱ କହିଛି ଯେ, ପ୍ରଭୁ ଶ୍ରୀରାମଙ୍କ ନାମରେ ଦେଶବାସୀ ଦେଇଥିବା ଦାନର ସଠିକ୍ ହିସାବ ସାର୍ବଜନୀନ କରାଯିବା ସହ ଏହି ସମସ୍ତ ଅଭିଯୋଗର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯିବା ଆବଶ୍ୟକ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ସହ ଦାନ ପରିଚାଳନା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବାକୁ କଂଗ୍ରେସ ଦାବି କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ, ନଗର ସଭାପତି ଦେବାନନ୍ଦ ବାରିକ ଏବଂ ପୂର୍ବତନ ନଗର ସଭାପତି ସଞ୍ଜୟ ମହାପାତ୍ର ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande