ବିଶାଖାପାଟଣାରେ ଗଡିଲା ରଥ
ବିଶାଖାପାଟଣା/ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ବିଶାଖାପାଟଣାର ଡସପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ରଥଯାତ୍ରାର ଆୟୋଜନ କରାଯାଇଥିଲା।ମୁଖ୍ୟ ମନ୍ଦିରରେ ଠାକୁରମାନଙ୍କର
rath


ବିଶାଖାପାଟଣା/ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ବିଶାଖାପାଟଣାର ଡସପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ରଥଯାତ୍ରାର ଆୟୋଜନ କରାଯାଇଥିଲା।ମୁଖ୍ୟ ମନ୍ଦିରରେ ଠାକୁରମାନଙ୍କର ଯଥାରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସମାଜସେବୀ, ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡର ଉପ-ସଭାପତି ତଥା ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜୀତେନ୍ଦ୍ର କୁମାର ନାୟକଙ୍କ ସକ୍ରୀୟ ତତ୍ୱାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଭିଡ଼କୁ ନିୟନ୍ତ୍ରଣ କରାଯିବା ଦିଗରେ ବିଶେଷ ବ୍ୟବସ୍ଥା କରାଯାଇଥିଲା।

ଅପରାହ୍ନ ୩ଟା ବେଳେ ଚାରି ଠାକୁରମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ଜୀତେନ୍ଦ୍ର କୁମାର ନାୟକ ପାରମ୍ପରିକ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ଅପରାହ୍ନ ୪:୩୦ ସମୟରେ ରଥଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଠାରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ୫୦୦୦ ଦର୍ଶକଙ୍କର ସମାଗମ ଘଟିଥିଲା। ଭକ୍ତମାନେ ରଥଟିକୁ ଟାଣି ଟାଣି ୬ କିଲୋମିଟର ଦୂରବର୍ତୀ ଲସନ୍ସବେ କଲୋନୀଠାରେ ଥିବା ମାଉସୀମା ମନ୍ଦିରକୁ ନେଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ମହଜୁଦ ଥିବା ଦର୍ଶକମାନେ ଚତୁର୍ଦ୍ଧାମୂର୍ତିଙ୍କର ଦିବ୍ୟ ସାନ୍ନିଧ୍ୟ ଲାଭ କରି କୃତକୃତ୍ୟ ମନେ କରୁଥିବା ଏବଂ ଭକ୍ତିଭାବରେ ବିହ୍ୱଳିତ ହେଉଥିବାର ଦୃଶ୍ୟ ଅଭୂତପୂର୍ବ ଥିଲା। ସନ୍ଧ୍ୟା ସୁଦ୍ଧା ଜୀଉମାନଙ୍କୁ ରଥରୁ ପୁଣି ପହଣ୍ଡି କରାଯାଇ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ ମଣ୍ଡପରେ ବିରାଜମାନ କରାଯାଇଥିଲା। ଆସନ୍ତା ଜୁଲାଇ ୨୪ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ମାଉସୀମା ଘରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ସୂତ୍ରରୁ ପ୍ରକାଶ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande