

ଜୟପୁର, ୧୬ ଜୁଲାଇ(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ଐତିହାସିକ ରଥଯାତ୍ରାରେ ଗୁରୁବାର ତିନି ଠାକୁରଙ୍କ ପହଣ୍ଡି କରାଯାଇଛି। ଆଜି ସଂନ୍ଧ୍ୟାରେ ତିନି ଠାକୁରଙ୍କୁ ରଥାରୁଢ଼ ମଧ୍ୟ କରାଯାଇଛି। ରୀତି ନୀତି ଅନୁଯାଇ ଶୁକ୍ରବାର ହେବ ରଥଟଣା। ଅପରାହ୍ନ ୪ଟା ସମୟରେ ତିନି ଠାକୁରଙ୍କୁ ମନ୍ଦିରରୁ ବାହାର କରାଯାଇ ପ୍ରଥମେ ବ୍ରହ୍ମା ସାହି, ଢେରା ସାହି, ସାମନ୍ତରା ସାହି, ଲାଲ ସାହି, ଶେଷରେ ସୁନାରି ସାହିରେ ପହଣ୍ଡି କରାଯାଇ ଥିଲା। ବଡ଼ ଭାଇ ବଳଭଦ୍ର ଓ ମାତା ସୁଭଦ୍ରାଙ୍କୁ ସୁନାରି ସାହିର ସେବାୟତମାନେ ପହଣ୍ଡି କରାଇଥିବାବେଳେ ପ୍ରଭୁ ଜଗନ୍ନାଥଙ୍କୁ ସାମନ୍ତରାୟ ସାହିର ସେବାୟତ ଓ ପତିତପାବନଙ୍କୁ ବ୍ରହ୍ମା ସାହିର ସେବାୟତମାନେ ପହଣ୍ଡି ବିଜେ କରାଇଥିଲେ। ଘଂଟ, ସଂକିର୍ତନ, ବାଜାରେ ପ୍ରଭୁମାନଙ୍କୁ ପହଣ୍ଡି କରାଇ ରଜାନହର ସ୍ଥିତ ନବ ନିର୍ମିତ ରଥ ନିକଟକୁ ନିଆଯାଇ ଥିଲା। ସେଠାରେ ଠାକୁରଙ୍କୁ ୪ ଥର ରଥ ପରିକ୍ରମା କରାଯାଇ ରଥାରୁଢ଼ କରାଯାଇ ଥିଲା। ରଥ ଉପରକୁ ଚଢ଼ିବା ପାଇଁ ପଟା ପକାଯିବା ପରେ ଭକ୍ତମାନେ ରଥ ଉପରେ ଚଢ଼ି ପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ଟାଉନ ପୋଲିସ ତରଫରୁ ପୋଲିସ ମୁତୟନ କରାଯାଇ ଥିଲା। ଶହ ଶହ ଜଗନ୍ନାଥପ୍ରେମୀ ହାତର ନଡ଼ିଆ କଦଳି ଧରି ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଲମ୍ବା ଲାଇନ୍ରେ ଠିଆ ହୋଇଥିଲେ। ସେହିପରି ଜୟପୁର ପୁରୁଣାଗଡ଼, ଜୟପୁର ନିକଟସ୍ଥ ବାରିଣିପୁଟ, ଆମ୍ବାଗୁଡ଼ା, ବାଟ ଜଗନ୍ନାଥ ପୁର ଠାରେ ମଧ୍ୟ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ପାଳନ କରାଯାଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ଯୋଗ ଦେଇଥିବାବେଳେ ଶାନ୍ତି ଶୃଙ୍ଖଳାରେ ରଥ ଟଣା ସମାପନ ହୋଇଥିଲା। ଚଳିତ ବର୍ଷ ନୂତନ ରଥ ନିର୍ମାଣ ହୋଇଛି। ଆଗରୁ ରଥର ଉଚ୍ଚତା ୩୦ ଫୁଟ୍ଥିବାବେଳେ ନୂଆ ରଥ ୪୨ ଫୁଟ ହୋଇଛି। ଚଉଡ଼ା ୨୨ ଫୁଟ୍ର ୨୮ ଫୁଟ୍ ହୋଇଛି। ସେହିପରି ଚକ ୫ ଫୁଟ୍ ଥିବା ବର୍ତମାନ ୬ ଫୁଟ ୬ ଇଂଚ ରହିଛି। ୧୪ଟି କାରିଗର ୨ ମାସରେ ଏହି ରଥ ନିର୍ମାଣ କରିଛନ୍ତି। ପହଣ୍ଡି ସମୟରେ ଏସ୍ଡିପିଓ ଅର୍ଚ୍ଚିତା ମିତଲ, ଦେବୋତର ଉପଦେଷ୍ଟା କମିଟି ସଭାପତି ଦେବେନ୍ଦ୍ର ବାହିନିପତି ଜୟପୁର ତହସିଲଦାର ତଥା ଦେବୋତର ଅଧିକାରୀ ସବ୍ୟସାଚି ଜେନା, ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି