
ପୁରୀ, ୧୬ ଜୁଲାଇ (ହି.ସ.)- ଆଜି ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ଝିପିଝିପି ବର୍ଷା ସତ୍ୱେ ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା ଓ ରଥ ଟାଣିବା ପାଇଁ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରୀମନ୍ଦିରରେ ନୀତିକାନ୍ତି ସଅଳ ହେବା ସହ ନିର୍ଦ୍ଧାରିତ ସମୟରେ ପହଣ୍ଡି ଆରମ୍ଭ ହୋଇଛି । ରଥ ପ୍ରତିଷ୍ଠା ପରେ ପହଣ୍ଡି ଆରମ୍ଭ ହୋଇଛି ।
ଧାଡି ପହଣ୍ଡିରେ ଆସି ତିନି ଠାକୁର ରଥାରୁଢ଼ ହେବେ । ପ୍ରଥମେ ଚକ୍ରରାଜ ସୁଦର୍ଶନ ଧାଡି ପହଣ୍ଡିରେ ଆସି ପୂର୍ବାହ୍ନ ୯ଟା ୧୫ ରେ ଦର୍ପଦଳନ ରଥରେ ବିରାଜମାନ କରିଛନ୍ତି । ପରେ ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ୯ଟା ୫୦ ରେ ଶ୍ରୀ ବଳଭଦ୍ରଙ୍କ ଶ୍ରୀବିଗ୍ରହ ସିଂହଦ୍ୱାର ଅତିକ୍ରମ କରିଥିଲେ ଏବଂ ପରେ ୧୦ଟାରେ ଦେବୀ ସୁଭଦ୍ରାଙ୍କ ଶ୍ରୀବିଗ୍ରହ ଏବଂ୧୦ଟା ୨୦ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀବିଗ୍ରହ ସିଂହଦ୍ୱାର ଅତିକ୍ରମ କରି ରଥ ଅଭିମୁଖେ ଯାଉଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ