
କେନ୍ଦ୍ରାପଡା, ୧୬ ଜୁଲାଇ (ହି.ସ.)- ପବିତ୍ର ଶ୍ରୀ ଗୁଣ୍ଡିଚାରେ ଭାଇ ଭଉଣୀଙ୍କ ସହିତ ରଥାରୁଢ଼ ହେଲେ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ । ଦିନ ପ୍ରାୟ ୩ଟା ବେଳେ ତିନି ଦିଅଁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ବଡ ଠାକୁର ଶ୍ରୀ ବଳଦେବଜୀଉ, ପରେ ପରେ ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା । ତିନି ଦିଅଁ ରଥାରୁଢ଼ ହେବା ପରେ ଚାରମାଳ ଖୋଲାଯାଇ ଗୋସେଇଁଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହୋଇଥିଲା । ପରେ ପରେ ହଜାର ହଜାର ଶ୍ରଦ୍ଧାଳୁ ବ୍ରହ୍ମ ତାଳଧ୍ୱଜକୁ ଟାଣି ନେଇଥିଲେ । କିଛି ବାଟ ଗଡ଼ି ଯିବା ପରେ ବ୍ରହ୍ମ ତାଳଧ୍ୱଜ ଦକ୍ଷୀଣ ମୋଡ଼ ନେଇଥିଲା । ରଥ ଟଣା ପୁନର୍ବାର ଆରମ୍ଭ ହେଲା ବେଳକୁ ଦଉଡ଼ି ଛିଣ୍ଡି ଯିବା ଦ୍ୱାରା ରଥ ଟଣା ଆଜି ପାଇଁ ବନ୍ଦ ରହିଥିଲା । କିଛି ବାଟ ରଥ ଟଣାଯାଇ ଦେବୋତର କାର୍ଯ୍ୟାଳୟ ନିକଟରେ ଅଟକି ରହିବାର ପରମ୍ପରା ରହିଛି । କିନ୍ତୁ ଆଜି ରଥ ଦେବୋତର କାର୍ଯ୍ୟାଳୟ ନିକଟରେ ପହଂଚି ପାରି ନଥିଲା । ଆସନ୍ତାକାଲି ଦିନ ୨ଟାରେ ରଥ ଟଣା ଆରମ୍ଭ ହୋଇ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଟଣା ଯିବ ବୋଲି ଜଣାପଡିଛି ।
ରଥଯାତ୍ରା ରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ତେବେ ଆଜି ଶ୍ରୀଗୁଣ୍ଡିଚାରେ ସକାଳ ୬ଟା ସୁଦ୍ଧା ଶ୍ରୀଜୀଉଙ୍କ ଜୟମଙ୍ଗଳ ଆଳତୀ କରାଯାଇଥିଲା । ନୀତି ସ୍ନାନ ବଲ୍ଳଭ ଓ ଖେଚୁଡ଼ି ଧୂପ ପରେ ସେନାପଟା ଲାଗି କରାଯାଇଥିଲା । ପ୍ରବଳ ବର୍ଷା ସତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ପାଇଁ ପହଂଚିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ