



ସମ୍ବଲପୁର,୧୬, ଜୁଲାଇ (ହି.ସ.)
ପବିତ୍ର ରଥଯାତ୍ରା ଅବସରରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲବାସୀଙ୍କ ପାଇଁ ଏକ ବଡ଼ ଉପହାର ସ୍ୱରୂପ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏକ ଭେଟି ପ୍ରଦାନ କରାଯାଇଛି ।
ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନଵନିର୍ମିତ ନୂତନ ରାଜସ୍ୱ ଡାକ ବଙ୍ଗଳାର ଉଦଘାଟନ ପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ଯ
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଫିତା କାଟି ଏହାର ଉଦଘାଟନ କରିଥିଲେ । ଏହି ନବନିର୍ମିତ ଭବନ ସରକାରୀ କାର୍ଯ୍ୟ ସହିତ ଆଗନ୍ତୁକମାନଙ୍କ ରହଣି ବ୍ୟବସ୍ଥାରେ ସହାୟକ ହେବ ବୋଲି ଉଦଘାଟନୀ ସଭାରେ ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଥିଲେ।
ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ, ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଶରତ କୁମାର, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।
ଏହି ଡାକ ବଙ୍ଗଳା ନିର୍ମାଣ ଦ୍ୱାରା ରେଢ଼ାଖୋଲ ଅଞ୍ଚଳର ପ୍ରଶାସନିକ ଭିତ୍ତିଭୂମି ଅଧିକ ସୁଦୃଢ଼ ହେବା ସହ ସରକାରୀ କାର୍ଯ୍ୟ ସଞ୍ଚାଳନରେ ସୁବିଧା ହେବ ବୋଲି ଆଶା ପ୍ରକାଶ ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ